ମାଲକାନଗିରି, ହକି ପୁରୁଷ ବିଶ୍ଵକପ୍ ୨୦୨୩ର ଅୟୋଜକ ସାଜିଛି ଓଡ଼ିଶା। ଏହାକୁ ସହର ଠାରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉତ୍ସବର ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେହି ପରୀପ୍ରେକ୍ଷୀରେ ମାଲ୍ୟବନ୍ତ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଏକ ମିନି ମାରଥାନର ଆୟୋଜନ ଆଜି ହୋଇଯାଇଛି । ବିଶ୍ଵକପ ହକି ମହାକୁମ୍ଭ ସହ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତକୁ ଉତ୍ସାହର ସହକାରେ ପାଳନ କରିବା ସହ ପରସ୍ପର ମଧ୍ୟରେ ସଂହତି ସ୍ଥାପନ କରିବା ଉଦ୍ଦେଶ୍ୟ ନେଇ ଆଜି ଏହାର ଆୟୋଜନ କରାଯାଇଛି। ଏହା କୋରୁକୋଣ୍ଡା ଫାଇଭ-ଟି ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ମାଲକାନଗିରି ବୁଟିଗୁଡା ବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ବୁଟିଗୁଡ଼ା ଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଧ୍ରୁବଚରଣ ମୁଦୁଲି ଏବଂ ଡିପିଏମ ମିଶନ ଶକ୍ତି ପବିତ୍ର ମୋହନ ବାରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଗଣ ଦୌଡରେ ପ୍ରାୟ ୨୦୦ ଜଣ ମହିଳା ଓ ପୁରୁଷ ଭାଗ ନେଇଥିଲେ । ୬ ବର୍ଷର ବାଳକ ରୁଦ୍ର ପ୍ରସାଦ ସେଠି ଏହି ଗଣଦୌଡର ମୁଖ୍ୟ ଆକର୍ଷଣ ଥିଲେ। ସେ ୧୫ କିଲୋମିଟର ରାସ୍ତା ଅତିକ୍ରମ କରି ଗଣଦୌଡକୁ ସଂପୂର୍ଣ୍ଣ କରିଛନ୍ତି।
ସେହିପରି ବୁଟିଗୁଡା ଠାରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମଣ୍ଡୁ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଗଣ ଦୌଡରେ ବୁଦ୍ରାବିଶି ନାୟକ, ଫୁଲ ସୁନ୍ଦର ପୁଜାରୀ ଓ ସୁନୀଲ ମାଢି ପୁରୁଷଙ୍କ ବର୍ଗରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳାଙ୍କ ବର୍ଗରେ ପ୍ରିତିରେଖା ମାଦ୍ରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ସ୍ବେଚ୍ଛାସେବୀ ଓ ପ୍ରତିଯୋଗୀଙ୍କ ନିମନ୍ତେ ଟି ସାର୍ଟ ର ବ୍ୟବସ୍ଥା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଗଣ ଦୌଡକୁ ସଫଳ କରାଇଥିଲେ।