ଗଞ୍ଜାମ, ବ୍ରହ୍ମପୁର ବିଜିପୁର ଅଂଚଳର ବିଭିନ୍ନ ସାହିରେ ଗତକାଲି ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଲାଗିଥିବା ପାଣି ମିଟର ଗୁଡିକୁ ଖୋଲି ପାଇପ୍ ଭାଙ୍ଗି କିଛି ଦୁର୍ବୃତ ନେଇଯାଇଥିବା ଜଣାପଡିଛି । ବଡ ସାହି, ବୋର୍ଡିଂ ସାହି, କାଳୁଆ ସାହି, ରଥ ସାହି ଅଂଚଳରୁ ପ୍ରାୟ ୭୦ଟି ପାଣି ମିଟର ଚୋରି ହୋଇଥିବା ଜଣାପଡିଛି । ଫଳରେ ଚୋରି ହୋଇଥିବା ମିଟର ଘର ମାଲିକ ମାନେ ଆଜି ପାନିୟ ଜଳ ପାଇନପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତୁରନ୍ତ ଏସବୁ ସ୍ଥାନରେ ପାଣିପାଇପ୍ ସଂଯୋଗ କରି ଗୃହ ଗୁଡିକୁ ପାଣି ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି ଏବଂ ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ପ୍ରକାଶଥାଉ କି, ଗତ ଦୁଇ ଦିନ ପୂର୍ବେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବାବାଜୀତୋଟା ସାହିରେ ମଧ୍ୟ ଅନୁରୂପ ଭାବେ ୨୫ ଜଣଙ୍କ ଘରୁ ପାଣି ମିଟର ଚୋରି ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ ବୈଦ୍ୟନାଥପୁର ପୋଲିସ ଘଟଣାର ତଦନ୍ତ କରୁଛି ।