ଭୁବନେଶ୍ୱର, ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ବିଜୟାନନ୍ଦଙ୍କର ୩ କୋଟି ୧୩ ଲକ୍ଷ ୭୬ ହଜାର ୭୮୯ ଟଙ୍କାର ଆୟ ବହିର୍ଭୂତ ସଂପତି ଠାବ ହୋଇଛି ଯାହାକି ତାଙ୍କ ଆୟର ୨୨୧ ପ୍ରତିଶତ ଅଧିକ ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ୭ ତାରିଖ ଦିନ ଭୁବନେଶ୍ୱର ଆଡରବ୍ଲୁଏସ୍ଏସ୍ ଡିଭିଜନ୍ ର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଆଇଗିଣିଆରେ ୩ହଜାର ବର୍ଗଫୁଟ୍ ରୁ ଅଧିକ ଜମିରେ ନିର୍ମିତ ୩ମହଲା କୋଠା ଠାବ କରିଛି । ଯାହାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ସେହିପରି ଅନୁଗୁଳରେ ଥିବା ଏକ ଦୁଇ ମହଲା କୋଠା, ଢେଙ୍କାନାଳରେ ଦୁଇ ମହଲା କୋଠା ଠାବ କରାଯାଇଥିଲା । ଏହାଛଡ଼ା ରାଜଧାନୀ, ଅନୁଗୁଳ ଏବଂ ଢେଙ୍କାନାଳ ପ୍ରମୁଖ ସ୍ଥାନରେ ୧୪ଟି ପ୍ଲଟ ରହିଛି । ତେବେ ୬ଟି ପ୍ଲଟ ଶାଳୀଙ୍କ ନାମରେ ଥିବା ବେଳେ ୫ଟି ପ୍ଲଟ ଶଳାଙ୍କ ନାମରେ ରହିଛି । ଯାହାର ମୂଲ୍ୟ ଅଧ କୋଟିରୁ ଅଧିକ ହେବ । ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଂଟ, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଜମା ମିଶି ପାଖାପାଖି ୪୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଚଢାଉ ବେଳେ ତାଙ୍କ ଘରୁ ନଗଦ ୧ ଲକ୍ଷ ୮୦ହଜାର ଟଙ୍କା, ୨୩୭ ଗ୍ରାମର ସୁନାଗହଣା, ଦାମୀ ଆସବାବପତ୍ର, ଗୋଟିଏ ଚାରିଚକିଆ ଗାଡ଼ି ଆଦି ଜବତ ହୋଇଛି ।