-
୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ନେଇ ବାଇକ୍ ରେ ଯାଉଥିବା ବେଳେ ଧରାପଡିଲେ
ରାୟଗଡ଼ା, ଭିଜିଲାନ୍ସ ଜାଲରେ ପଡିଛନ୍ତି ରାୟଗଡ଼ା ସହକାରୀ ମୃତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ । ଗତକାଲି ମଧ୍ୟରାତ୍ରରେ ଏକ ବ୍ୟାଗରେ ୫ ଲକ୍ଷରୁ ଅଧିକ ଟଙ୍କା ନେଇ ସେ ବୁଲେଟ ମୋଟର ସାଇକେଲ ଯୋଗେ ଭଡ଼ାଘରକୁ ଯାଉଥିବା ବେଳେ ଅରବିନ୍ଦ ସ୍କୁଲ ନିକଟରେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଅଟକାଇ ଯାଂଚ୍ କରିଥିଲେ । ଯାଂଚ୍ ବେଳେ ତାଙ୍କ ନିକଟରୁ ନଗଦ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ଜବତ ହୋଇଛି । ଜବତ ଟଙ୍କା ବାବଦରେ ସେ କୌଣସି ସନ୍ତୋଷଜନକ ଉତର ରଖିପାରିନାହାଁନ୍ତି ।
ପରେ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ରାୟଗଡ଼ା ମଙ୍ଗଳା ମନ୍ଦିର ନିକଟରେ ଥିବା ଭଡ଼ାଘରେ ଚଢ଼ଉ ବେଳେ ମିଳିଛି ୬ ଲକ୍ଷ ୩୦ ହଜାର ଟଙ୍କା । ଏଯାବତ୍ ମୋଟ୍ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ ହୋଇଛି । ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ଉ ଚାଲିଛି । ରାୟଗଡ଼ା ମଙ୍ଗଳା ମନ୍ଦିର ନିକଟ ଘର ସମେତ ଭୁବନେଶ୍ଵର ପାତ୍ରପଡ଼ା କିଶୋରବିହାରରେ ଥିବା ତାଙ୍କ ପତ୍ନୀଙ୍କ ଘର ଏବଂ ପୈତୃକ ଘର ନବରଙ୍ଗପୁର ଜିଲ୍ଲା ମନ୍ତ୍ରୀଗୁଡ଼ାରେ ଏହି ଚଢ଼ଉ କରାଯାଇଛି । ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତିର ଆକଳନ କରୁଛି ଭିଜିଲାନ୍ସ । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।