ପୁରୀ, ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ପ୍ରତାପ ପୁରୁଷୋତମପୁର ହୋତାସାହିରେ ଆଜି ଭୋର୍ ସମୟରେ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ହାତୀଟି ଗାଁ ରାସ୍ତାରେ ବୁଲୁଥିବାର ଦେଖି ଗ୍ରାମବାସୀ ମାନେ ହୋ ହାଲ୍ଲା କରିବାରୁ ବଣୁଆ ହାତୀଟି ନିକଟସ୍ଥ ଜଙ୍ଗଲରେ ଲୁଚି ଯାଇଛି । ଏ ସମ୍ପର୍କରେ ଖବର ପାଇ ଚନ୍ଦନପୁର ପୋଲିସ ଓ ବନ ବିଭାଗର ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ହାତୀଟିକୁ ବିରକ୍ତି ନକରିବା ପାଇଁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି । ହାତୀଟି ଗତକାଲି ରାତିରେ ଡ଼େଲାଙ୍ଗ ଅଂଚଳରୁ ଆସିଥିବା ଅନୁମାନ କରାଯାଉଛି । ହାତୀଟି ଦିନରେ ଗତିଶିଳ ନହୋଇ ରାତିରେ ସ୍ଥାନ ପରିବର୍ତନ କରିପାରେ ବୋଲି ବନ ବିଭାଗ ଅନୁମାନ କରୁଛି । ରାତିରେ ହାତୀଟି ଆସିବା ସମୟରେ ଦଳିଚକଟି କିଛି ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏହି ବଣୁଆ ହାତୀଟିକୁ ତୁରନ୍ତ ଏଠାରୁ ଘଉଡାଇବା ପାଇଁ ଗ୍ରାମବାସୀ ମାନେ ବନ ବିଭାଗକୁ ଅନୁରୋଧ କରିଛନ୍ତି । ସମ୍ପୃକ୍ତ ଅଂଚଳରେ ହାତୀଟି ରହିଥିବାରୁ ଆଖପାଖ ଗ୍ରାମର ଲୋକ ମାନେ ଭୟଭିତ ଅବସ୍ଥାରେ ରହିଛନ୍ତି ।
ଅନ୍ୟପକ୍ଷରେ ହାତୀକୁ ଜଙ୍ଗଲ ଆଡକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରୀ ରଖିଛି ବନ ବିଭାଗ । ହାତୀର ଗତିବିଧି ଉପରେ ନଜର ରଖିଛି ଟିମ୍ । ଜନବସତିରେ ପଶି ହାତୀଟି ଯେପରି କିଛି କ୍ଷୟକ୍ଷତି ନଘଟାଏ, ସେଥିପ୍ରତି ନଜର ରଖିଛି ଟିମ୍ । ତେବେ ବର୍ତମାନ ସୁଦ୍ଧା ହାତୀଟି କାହାରି କିଛି କ୍ଷତି କରିନାହିଁ ।