ଯୋଡ଼ା, କେନ୍ଦୁଝର ଜିଲ୍ଲା ଯୋଡ଼ା ପୋଲିସ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବାର ଅଭିଯୋଗ ହୋଇଛି । ଯୋଡ଼ା ପୋଲିସ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରିଦେଇଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା, ବିରିକଳା ପଞ୍ଚାୟତ, ମୋଟୁଦା ଗାଁର ଅମିତ୍ କୁମାର ସେଠୀ ନାମକ ଜଣେ ଯୁବକକୁ ଯୋଡ଼ା ଥାନା ଅଧୀନ ବିଲେଇପଦା ପୋଲିସ୍ ବିଟ୍ ହାଉସରେ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯୋଡ଼ା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅମିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିବା ମାଡ଼ ଚିହ୍ନ ପୋଲିସର ନିର୍ଯ୍ୟାତନା କଥା ବୟାନ କରୁଛି ।
ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଅମିତଙ୍କ ସହ ତାଙ୍କ ସ୍ତ୍ରୀ ସୁପ୍ରୀୟାଙ୍କ ଝଗଡା ହୋଇଥଲା ଏବଂ ଅମିତ୍ ସ୍ତ୍ରୀଙ୍କୁ ମାଡ଼ପିଟ ମଧ୍ୟ କରିଥିଲେ । ଏହାକୁ ନେଇ ସ୍ତ୍ରୀ ସୁପ୍ରିୟା ଆଜି ବିଲେଇପଦା ପୋଲିସ୍ ବିଟ୍ ହାଉସର ଦ୍ବାରସ୍ଥ ହୋଇଥିଲେ । ସେ ଭାବିଥିଲେ ଯେ ଘଟଣା ସମାଧାନ ହୋଇଯିବ । ପୋଲିସ୍ ବୁଝାସୁଝା କରି ତାଙ୍କ ସ୍ବାମୀଙ୍କୁ ଛାଡ଼ିଦେବ । ତେବେ ସେଠାରେ ନିୟୋଜିତ ଥିବା ଜଣେ ପୋଲିସ କର୍ମଚାରୀ ଅମିତଙ୍କୁ ଡକାଇ ପ୍ରଥମେ ବୁଝାସୁଝା କରିବା ପରେ ଭିତରକୁ ଡ଼ାକିନେଇ ନିସ୍ତୁକ ପିଟିଥିଲେ ବୋଲି ଉଭୟ ଅମିତ୍ ଏବଂ ତାଙ୍କ ପତ୍ନୀ ସୁପ୍ରିୟା ଅଭିଯୋଗ କରିଛନ୍ତି । ଏବେ ଅମିତଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କର ହାତ, ଗୋଡ଼ ଓ ଶରୀର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି । ତେବେ ମାଡ଼ ମାରିଥିବା ପୋଲିସ୍ କର୍ମଚାରୀ, ଜଣେ କନେଷ୍ଟବଳ ବୋଲି ସୂଚନା ରହିଛି । ଏନେଇ ସଂପୃକ୍ତ ପୋଲିସ କର୍ମଚାରୀ କିମ୍ବା ଯୋଡ଼ା ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।