ଭୁବନେଶ୍ୱର, କୃଷକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ସୋମବାର ସକାଳୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଧାନବସ୍ତା ଥୋଇ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତା ମାନେ ବିରୋଧ କରିଛନ୍ତି । ଅନ୍ନଦାତାଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଓ କଟ୍ନୀଛଟ୍ନୀ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ଆଜି ସକାଳୁ ସକାଳୁ ନବୀନ ନିବାସ ଆଗରେ ଧାନ ଢାଳିବାକୁ ଚାଷୀ ମାନେ ଉଦ୍ୟମ କରିଥିଲେ । ହେଲେ ନବୀନ ନିବାସ ଯିବା ବାଟରେ ସେମାନଙ୍କୁ ପୋଲିସ ଅଟକାଇଥିଲା । କିଛି ସମୟ ଧରି କୃଷକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।
ଏହି ଅବସରରେ ଚାଷୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ସମସ୍ୟା, ଖାସ କରି ମିଲରଙ୍କ ସହ ସରକାରୀ ବାବୁ, ମନ୍ତ୍ରୀଙ୍କ ସହଯୋଗରେ ଚାଷୀଙ୍କ ଉପରେ ଜୁଲମ କରାଯାଉଥିବା ଅଭିଯୋଗ କରିଥିଲେ । ଗୋଟିଏ ପଟେ ରାଜଧାନୀରେ ହକି ଫିଭର ଥିବାବେଳେ ଚାଷୀ ନିଜର ହକ୍ ପାଇଁ ନବୀନ ନିବାସ ପହଂଚିଥିଲେ ।ଏହା ପରେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତା ମାନଙ୍କୁ ପୋଲିସ ଅଟକ ରଖିଥିଲା ।
ସେମାନେ କହିଛନ୍ତି, ହକି ଚାଲିଛି, କିନ୍ତୁ ଚାଷୀଙ୍କୁ ହକକୁ ଅଣଦେଖା କରାଯାଉଛି । ଧାମନଗରରେ ଚାଷୀ ହୁଙ୍କାର ଦେଖିଲେ ଆଉ ଆଗକୁ ପୁରା ୧୪୭ ଆସନକୁ ଚାଷୀ ଘେରାଉ କରିବେ ।
ସେମାନେ କହିଛନ୍ତି ଯେ ଧାମନଗରରେ ଟ୍ରେଲର ଥିଲା, ଆଗକୁ ଫିଲ୍ମ ଦେଖିବେ ନବୀନ ସରକାର । ଆଗକୁ ଆହୁରି ଜୋରଦାର ଆନ୍ଦୋଳନ ହେବ । ହଜାର ହଜାର ଚାଷୀ ଜେଲ ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।