ମାଲକାନଗିରି, ଗଞ୍ଜେଇ ଚାଷ ନଷ୍ଟ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି ।
ସୂଚନା ଅନୁଯାୟୀ, ଏସଡିପିଓଙ୍କ ନେତୃତ୍ବରେ ମାଲକାନଗିରି ଜିଲା ଓର୍କେଲ ଥାନା ଅନ୍ତର୍ଗତ ରାଜାବନ୍ଧ ଗାଁରେ ଆଜି ଚଢ଼ଉ କରିଥିଲା ପୋଲିସ । ଗଞ୍ଜେଇ ଚାଷ ହୋଇଥିବା ନେଇ ଖବର ପାଇବା ପରେ ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ଗାଁ ଲୋକ ପ୍ରବଳ ବିରୋଧ କରିଥିଲେ । ଫଳରେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ଏଥିରେ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଜଣେ ହୋମଗାର୍ଡକୁ ଗ୍ରାମବାସୀ ମାନେ ଅଟକ ରଖିଥିବା ମଧ୍ୟ ଜଣାପଡ଼ିଛି । ଓର୍କେଲ ଏସଡିପିଓଙ୍କ ନେତୃତ୍ବରେ ଅତିରିକ୍ତ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥବା ଜଣାପଡିଛି ।