ଯୋଡ଼ା,ଦିବ୍ୟାଙ୍ଗ ଅନୁସୂଚିତ ଜାତିର ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ପ୍ରତାରଣା କରିବା ଓ ଜୀବନରୁ ମାରିଦେବାର ଧମକ ଅଭିଯୋଗରେ ବଲାଣି ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନା ଅନୁସାରେ, ବଲାଣି ଥାନା ଅନ୍ତର୍ଗତ ମାଛୁଆ ଢ଼ିପା ଅଞ୍ଚଳର ଜୈନେକ ଅନୁସୂଚିତ ଜାତିର ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ ପ୍ରତଶ୍ରୁତି ଦେଇ ବଲାଣି ଖଣି ଟାଉନସିପ ଅଂଚଳର ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ସ୍ବର୍ଗତ ସନ୍ତୋଷ କୁମାର ଗିରୀଙ୍କ ପୁଅ ବିଶାଳ କୁମାର ଗିରୀ ଓରଫ ବିମଲ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ । ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜାଣିବା ପରେ ଯୁବତୀଙ୍କୁ ପଚାରିବାରୁ ସେ ଅଭିଯୁକ୍ତଙ୍କ ବିଷୟରେ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଏ ନେଇ ପରିବାର ଲୋକେ ଯୁବକଙ୍କ ଘରକୁ ଯାଇ ପଚାରିବାରୁ ଅଭିଯୁକ୍ତ ଗର୍ଭ ନଷ୍ଟ କରିବାକୁ କହିବା ସହିତ ପୁଲିସ ନିକଟକୁ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ବଲାଣି ଥାନାର ଦ୍ଵାରସ୍ଥ ହେବା ସହିତ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବଲାଣି ପୁଲିସ ଏକ ମାମଲା ରୁଜ୍ଜୁ କରିଥିଲା । ଏ ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁଷ୍ପଲତା ବାରିକ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିଶାଳ କୁମାର ଗିରୀକୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଓ ଜୀବନରୁ ମାରିଦେବା ଧମକ ଅଭିଯୋଗରେ ବଲାଣି ପୁଲିସ ବିଶାଳକୁ ଗିରଫ କରି ଚମ୍ପୁଆ କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପରିବାର ପୁଅକୁ ଫସାଇ ଦିଆଯାଇଥିବା ନେଇ କହିଛନ୍ତି।