ତାଳଚେର/ଭୁବନେଶ୍ୱର, ଦେଶର ସର୍ବ ବୃହତ୍ ତଥା ପ୍ରଥମ ତାଳଚେର କୋଲ ଗ୍ୟାସିଫିକେସନ୍ ବେସଡ୍ ୟୁରିଆ ପ୍ଲାଂଟର କାର୍ଯ୍ୟ ଜୋରସୋରରେ ଚାଲିଛି । ୨୦୨୪ ଅକ୍ଟୋବର ପୂର୍ବରୁ ଏହା ଲୋକାର୍ପିତ ହେବ ବୋଲି ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ପ୍ଲାଂଟ ପରିଦର୍ଶନ ଓ ସମୀକ୍ଷା ଅବସରରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମଣ୍ଡାଭିୟା । କୋଲ୍ ଗ୍ୟାସିଫିକେସନ୍ ଦ୍ୱାରା ଦେଶର ଶକ୍ତି ଚାହିଦା ପୂରଣ ହୋଇପାରିବ । ଏହାସହ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଓଡିଶା ଆତ୍ମନିର୍ଭର ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ସହ, ଚାଷୀଙ୍କ ସୁବିଧା ଏବଂ ଭାରତକୁ ଆତ୍ମନିର୍ଭର କରିବ । ୧୭୦୦୦ କୋଟି ଟଙ୍କା ବିନିଯୋଗରେ ତିଆରି ଚାଲିଥିବା କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଭାରତରେ ଅପାର କୋଇଲା ଗଚ୍ଛିତ ଅଛି । ପର୍ଯ୍ୟାବରଣ ସମସ୍ୟାକୁ ଧ୍ୟାନରେ ରଖି ବିଜୁଳି ଉତ୍ପାଦନ ରେ ବିନିଯୋଗ କରଯିବ । କୋଲ୍ ରୁ ଗ୍ୟାସ୍ ପ୍ରକଳ୍ପ ଟେକ୍ନୋଲୋଜିକୁ ଭାରତରେ ବିନିଯୋଗ କରି କୋଲ ଇଣ୍ଡିଆ , ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଓ ରାଷ୍ଟ୍ରୀୟ ଫର୍ଟିଲାଇଜର କର୍ପୋରେସନ୍ ର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।
ଉଭୟ କେନ୍ଦ୍ର ମନ୍ତ୍ରୀ ସେଠାରେ ପହଂଚିବା ପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ପ୍ଲାଂଟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣା ପଡିଛି । ଉଭୟ କେନ୍ଦ୍ର ମନ୍ତ୍ରୀ ପ୍ଲାଂଟ ପରିସରରେ ବୃକ୍ଷ ରୋପଣ କରଥିଲେ ।
ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ମନସୁଖ ଭାଇ ମଣ୍ଡାଭିୟା ଓ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପହଂଚିଥିଲେ । ଏଫସିଆଇ ଟାଉନସିପରେ ଥିବା ସେଂଟ୍ରାଲ ସ୍କୁଲ ପଡିଆରେ ହେଲିପ୍ୟାଡ଼ରେ ସେମାନଙ୍କର ହେଲିକପ୍ଟର ଅବତରଣ କରିଥିଲା ।