ଭୁବନେଶ୍ୱର, ଦୀର୍ଘଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି । ଯେଉଁ ଶିକ୍ଷକମାନେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଛନ୍ତି ଓ ନୋଟିସର ଜବାବ ରଖୁନାହାନ୍ତି, ସେମାନଙ୍କ ବିରୋଧରେ ନୀତିଗତ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତି ହୋଇଛି । ସେହିପରି ଏ ଯାଏଁ ୯୬ ଜଣ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେ କହିଛନ୍ତି, ସାରା ରାଜ୍ୟରେ ପାଖାପାଖି ୯୬ ଶିକ୍ଷକ ଦୀର୍ଘ ଦିନ ହେଲା ସ୍କୁଲରେ ଅନୁପସ୍ଥିତ ରହିଛନ୍ତି । ୨ ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁ ନାହାନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତି ହେତୁ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକଙ୍କ ସହିତ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକ ଓ ସୁନ୍ଦରଗଡ଼ ଜିଲ୍ଲାର ୨ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି ।