ଭୁବନେଶ୍ୱର, ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ବ୍ୟକ୍ତ କରିଛି । ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର କହିଛନ୍ତି ଯେ , ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିଲା । ଦୁର୍ଭାଗ୍ୟର ବିଷୟ ୧୦ କେଜି ଚାଉଳରୁ ୫ କେଜି ଚାଉଳ କାଟି ଦିଆଯାଇଛି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରି ଦିଆଗଲା, ଯାହା ଦ୍ୱାରା ଓଡ଼ିଶାର କେବଳ ପରିବାର ହଇରାଣ ହେଲେନି । ଚାଷୀ ଭାଇମାନେ ବି ହନ୍ତସନ୍ତ ହେଉଛନ୍ତି । ଚାଷୀମାନେ ଏହି ଯୋଜନାରେ ଉପକୃତ ହେଉଥିଲେ । ଓଡ଼ିଶାର ଅନେକ ପରିବାର ଏହି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିଲେ ବି ସେମାନେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି, କାରଣ କେନ୍ଦ୍ର ସରକାର ପୁରୁଣା ତାଲିକାକୁ ନେଇ ଚାଲୁଛନ୍ତି । ଆମେ ହିତାଧିକାରୀମାନଙ୍କୁ ଯୋଡ଼ିବାକୁ ଚାହୁଁଥିଲେ ବି ହୋଇ ପାରୁନି । ଏଇ ମାସରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆରମ୍ଭ କରାଯାଉ ବୋଲି ସେ ଦାବି କରିଛନ୍ତି ।