-
ମୋଦିଙ୍କ ଉଦ୍ୟମରେ ଓଡ଼ିଶାରେ ନୂଆ ଯୁଗ ଆରମ୍ଭ- ଧର୍ମେନ୍ଦ୍ର ପ୍ରଧାନ
-
୫ଜି ରାଜ୍ୟ ପାଇଁ ଗେମଚେଞ୍ଜର ହେବ, ଦୂରସଂଚାର ବ୍ୟବସ୍ଥାରେ ହେବ ଯୁଗାନ୍ତକାରୀ ପରିବର୍ତ୍ତନ
-
ଓଡ଼ିଶା ଭଳି ରାଜ୍ୟ ୫ଜି ଦ୍ୱାରା ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବଡ ଲାଭ ପାଇବ
-
ଓଡ଼ିଶାର ବୌଦ୍ଧିକ କ୍ଷମତା ବିଶ୍ୱକୁ ପହଞ୍ଚିପାରିବ
-
ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ, ନୂଆ ଓଡ଼ିଶା, ପୂର୍ବଦୋୟର କଳ୍ପନା ତୃଣମୂଳ ସ୍ତରରେ ସାକାର ହେଉଛି
-
ଓଡ଼ିଶାବାସୀଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ
-
ଇଣ୍ଟରନେଟ୍ କେବଳ ଗେମିଂ ନୁହେଁ ବରଂ ଶିକ୍ଷା, ଜ୍ଞାନ, ନବସୃଜନ ଏବଂ ବ୍ୟବସାୟ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ
-
ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଚାକିରିରେ ନିର୍ଭରଶୀଳ ନହୋଇ ଉଦ୍ୟମୀ ହୁଅନ୍ତୁ
-
ଭୁବନେଶ୍ୱରରେ ଡେଲୋଏଟର ଗ୍ଲୋବାଲ ସେଣ୍ଟର ଲୋକାର୍ପଣ ହେବା ପୂର୍ବରୁ ଓଡ଼ିଶାରେ ୫ଜି ସେବା ଆରମ୍ଭ ପ୍ରଶଂସନୀୟ
କେନ୍ଦ୍ର ରେଳ ଓ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଶ୍ରୀ ପ୍ରଧାନ ଓଡ଼ିଶାର ଗ୍ରାମୀଣ ଅଞ୍ଚଳ ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଓ କଳହାଣ୍ଡି ଜିଲ୍ଲାରେ ୧୦୦ଟି ୪ଜି ମୋବାଇଲ ଟାଓ୍ୱାରର ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ‘ମୋଦି ହୈ ତୋ ମୁମକିନ ହୈ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ନୂଆ ଭାରତ, ନୂଆ ଓଡ଼ିଶା, ପୂର୍ବଦୋୟର କଳ୍ପନା ଥିଲା, ତାହା ତୃଣମୂଳ ସ୍ତରରେ ସାକାର ହେଉଛି । ଓଡ଼ିଶାରେ ପ୍ରାଥମିକ ପର୍ଯ୍ୟାୟରେ ଏୟାରଟେଲ୍ ଇଣ୍ଡିଆ ଏବଂ ଜିଓ ଦ୍ୱାରା ୫ଜିର କାର୍ଯ୍ୟକାରୀ ହୋଇଛି । ଏହାର ଲାଭ ସାମାନ୍ୟ ଗରିବ, ଜନଜାତି, ମହିଳା, ଚାଷୀ ଓ ଯୁବବର୍ଗ ମାନଙ୍କୁ ମିଳିବ । ଏହି ବଳିଷ୍ଠ ପଦକ୍ଷେପ ଯୁବପିଢିଙ୍କ ମଧ୍ୟରେ ନୂଆ ଉଲ୍ଲାସ ଆଣିଛି । ଆଗାମୀ ବର୍ଷେ ପରେ ଆଇଆଇଟି, ଟେଲିକମ୍ ବିଭାଗ ଦ୍ୱାରା ନିର୍ମିତ ନିଜସ୍ୱ ୫ଜି ଟେକ୍ନୋଲୋଜିକୁ ବିଏସଏନଏଲ ଆରମ୍ଭ କରିବ ।
ସାଧାରଣ ଓଡ଼ିଶାବାସୀଙ୍କ ଜୀବନକୁ ସୁଗମ ଓ ଉନ୍ନତମାନର କରିବା ପାଇଁ ସବୁବେଳେ ପ୍ରାଥମିକତା ଦେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ପୂର୍ବରୁ ରାଜ୍ୟରେ ମୋବାଇଲ କନେକ୍ଟିଭିଟିର ସମସ୍ୟା ଥିଲା । ଏବେ ମୋଦି ସରକାରଙ୍କ ଅମଳରେ ସବୁ ପଞ୍ଚାୟତରେ ୫,୦୦୦ ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଟେଲିକମ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ରାଜ୍ୟରେ ୫,୦୦୦ ଟାଓ୍ୱାର ମୋବାଇଲ ସେବା ସଂଯୋଗ କରାଯିବା ନେଇ ଯୋଜନା ହୋଇଛି । ଭାରତ ନେଟ୍ ଦ୍ୱାରା ପ୍ରାୟ ଅଧିକାଂଶ ଗ୍ରାମକୁ ଉଚ୍ଚ କ୍ଷମତା ବିଶିଷ୍ଟ ଅପ୍ଟିକାଲ ଫାଇଭର ସଂଯୋଗ କରାଯାଉଛି । ଆଜିର ପଦକ୍ଷେପ ଦ୍ୱାରା ରାଜ୍ୟରେ ଅନେକ ସମ୍ଭାବନା ତିଆରି ହୋଇଛି । ଏକବିଂଶ ଶତାବ୍ଦୀର ଓଡ଼ିଶାର ବୈଷୟିକ ପ୍ରଗତି ଦିଗରେ ଆଜିର ଦିନ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମାଜର ନିମ୍ନ ଶ୍ରେଣୀରେ ଥିବା ଲୋକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନକୁ ସୁଦୃଢ଼ ଓ ଡିଜିଟାଲ ଦୂରତ୍ୱକୁ ହ୍ରାସ କରିବାରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ପୂର୍ବରୁ ଲୋକଙ୍କୁ କଲ୍ ଡ୍ରପର ସମ୍ମୁଖୀନ ହେବାକୁ ପଡୁଥିଲା । ଏବେ ମୋଦି ସରକାରରେ ସେକ୍ଟ୍ରମ ବିକ୍ରି ହୋଇ ପ୍ରବଳ ରାଜସ୍ୱ ଆସୁଛି । ବିଏସଏନଏଲ ପାଇଁ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିତ୍ତିଭୂମିକୁ ସଜଡା ଯାଇଛି । ଏବେ ରାଜ୍ୟରେ ୫ଜି ସେବା ଦ୍ୱାରା ଟେଲିକମ୍ ଏବଂ ଇଣ୍ଟରନେଟ୍ ଗ୍ରାହକମାନେ ଅତି ଉନ୍ନତମାନର ସେବା ପାଇବେ । ଆମର ଅର୍ଥନୀତି ସୁଦୃଢ଼ ହେବ । ଡାକ୍ତର ମାନେ ଭୁବନେଶ୍ୱରରେ ରହି ମଧ୍ୟ ମାଲକାନଗିରି, ମୟୂରଭଞ୍ଜ ଭଳି ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସେବା କରିପାରିବେ । ୫ଜି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବଡ ଲାଭ ପାଇବ ।
ଇଣ୍ଟରନେଟ୍ କେବଳ ଗେମିଂ ପାଇଁ ନୁହେଁ, ଇଣ୍ଟରନେଟ ଶିକ୍ଷା, ଜ୍ଞାନ, ନବସୃଜନ ଏବଂ ବ୍ୟବସାୟ ପାଇଁ ମଧ୍ୟ । ୫ଜିର ରୋଲଆଉଟ ଦ୍ୱାରା ଦେଖାଯାଇଥିବା ସମ୍ଭାବନା ଦ୍ୱାରା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଚାକିରି ଉପରେ ନିର୍ଭରଶୀଳ ନହୋଇ ଉଦ୍ୟମୀ ହୁଅନ୍ତୁ ଏବଂ ସମାଜର ମଙ୍ଗଳ କରିବା କାର୍ଯ୍ୟରେ ଲାଗିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ସେହିପରି ଭୁବନେଶ୍ୱରରେ ଆସନ୍ତାକାଲି ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡେଲୋଏଟର ଏକ ଗ୍ଲୋବାଲ ସେଣ୍ଟର ଲୋକାର୍ପଣ ହେବା ପୂର୍ବରୁ ଓଡ଼ିଶାରେ ୫ଜିର ଉଦଘାଟନ ହେବା ପ୍ରଶଂସନୀୟ । ଡେଲୋଏଟ୍ ରାଜ୍ୟର ବୌଦ୍ଧିକ ପରିସଂସ୍ଥାନ କ୍ଷେତ୍ରରେ ଏକ ବହୁତ ବଡ଼ ପଦକ୍ଷେପ ହେବ । ଆଗାମୀ ଦିନରେ ୫ଜି ଓଡ଼ିଶାର ବୌଦ୍ଧିକ କ୍ଷମତା ବିଶ୍ୱକୁ ପହଞ୍ଚିପାରିବ । ବିଶ୍ୱର ଅତ୍ୟାଧୁନିକ ପ୍ରଣାଳୀ ଓଡ଼ିଶାରେ ଗାଁରେ ପହଞ୍ଚିବ । ବାଙ୍ଗାଲୋର, ହାଇଦ୍ରାବାଦ ଓ ଗୁଡଗାଓଁକୁ ଯେଭଳି ଓଡ଼ିଆ ପିଲାମାନେ ନଯାଇ ଏଠାରେ କାର୍ଯ୍ୟ କରିବେ, ସେହି ବ୍ୟବସ୍ଥା ତିଆରି କରିବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।