ଭୁବନେଶ୍ୱର,କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ । କିନ୍ତୁ ଓଡ଼ିଶାର ବହୁ ଗ୍ରାମାଂଚଳରେ ଏଯାଏଁ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ । ଫଳରେ ଲୋକେ ମୋବାଇଲ ଓ ଇଂଟରନେଟ ସେବାରୁ ବଂଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାରସର୍ବସ୍ୱ ନହେଉ । ଓଡ଼ିଶାର ସମସ୍ତ ଅଂଚଳକୁ ମୋବାଇଲ ଓ ଇଂଟରନେଟ୍ ସେବା ତୁରନ୍ତ ଯୋଗାଇ ଦେବାକୁ ବିଜୁ ଜନତା ଦଳ ଦାବି କରିଛି ।
ଗୁରୁବାର ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ଗତ ୨୦୨୨ ଜୁଲାଇ ମାସରେ ‘ଟ୍ରାଇ’ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶର ହାରାହାରି ଟେଲି ଘନତ୍ୱ ୮୫% ରହିଥିବା ବେଳେ ଓଡ଼ିଶାରେ ଏହା ହାରାହାରି ୭୫% ଏବଂ ଓଡ଼ିଶାର ଗ୍ରାମାଂଚଳରେ ମାତ୍ର ୬୭% ରହିଛି । ଏପରିକି ଦେଶର ସର୍ବାଧିକ ପଛୁଆ ଅଂଚଳ ଭାବେ ବିବେଚିତ ଉତର-ପୂର୍ବ ରାଜ୍ୟଗୁଡ଼ିକରେ ଟେଲି ଘନତ୍ୱ ଓଡ଼ିଶା ଠାରୁ ଅଧିକ ୭୮% ଏବଂ ଜାମ୍ମୁ-କାଶ୍ମୀରରେ ୮୦% । ଓଡ଼ିଶାର ୬୨୭୮ ଗାଁରେ ମୋବାଇଲ ଓ ଇଂଟରନେଟ ସେବା ପହଂଚି ପାରୁନାହିଁ । ଏହି ସେବା ପହଂଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ରହିଥିବା ବେଳେ ଏଯାଏଁ ମାତ୍ର ୪୮୮ଟି ଟାୱାର ମଞ୍ଜୁର ହୋଇଛି । ମୁଖ୍ୟତଃ ଆଦିବାସୀ ବର୍ଗର ଲୋକେ ରହୁଥିବା ନକ୍ସଲ ପ୍ରବଣ ଇଲାକାରେ ଟାୱାର ନଥିବାରୁ ଲୋକେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯାଇ ପାରୁନାହିଁ ।
ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଏବେ ରାଜ୍ୟର ବିଭିନ୍ନ ଗ୍ରାମାଂଚଳରେ ମିଳୁଥିବା ଟେଲି ସେବା ମଧ୍ୟ ଅତ୍ୟନ୍ତ ଦୁର୍ବଳ । ନେଟୱାର୍କ ନଥିବାରୁ କୋଭିଡ୍ ସମୟରେ ପିଲାମାନେ ଅନ୍ଲାଇନ୍ରେ ପାଠପଢ଼ା ପାଇଁ କେମିତି ହଇରାଣ ହେଉଥିଲେ ଏବଂ ନେଟୱାର୍କ ପାଇବା ଲାଗି ପାହାଡ଼ ଓ ଗଛ ଉପରକୁ ଚଢୁଥିଲେ, ତାହା ସମସ୍ତେ ଜାଣିଛନ୍ତି । ଏହି ପରିପ୍ରେକ୍ଷୀରେ କେବଳ ଦୁଇଟି ସହରରେ ୫-ଜି ସେବା ଆରମ୍ଭ କରିଦେଲେ ଓଡ଼ିଶା ଏଥିରୁ ଲାଭବାନ ହୋଇପାରିବ ନାହିଁ । ଓଡ଼ିଶାର ଗ୍ରାମାଂଚଳରେ ରହୁଥିବା ଆଦିବାସୀ, ସାଧାରଣ ଜନତା ଏବଂ ସାମଗ୍ରୀକ ଭାବେ ରାଜ୍ୟବାସୀ ଟେଲିକମ୍ ଓ ଇଂଟରନେଟ୍ କ୍ଷେତ୍ରରେ ଏହାଠାରୁ ଅଧିକ ଉତମ ସେବା ପାଇବାକୁ ହକଦାର । ତେଣୁ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଏଭଳି ଦିନରେ ଲଣ୍ଠନ ନ ଦେଖାଇ ଲୋକଙ୍କ ହକ୍ ଏବଂ ସେବା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।