ଭୁବନେଶ୍ୱର, ରାଜ୍ୟର ୧୪୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଗୁରୁବାର ପ୍ରକାଶ ପାଇଛି । ଜାନୁଆରୀ ୧ ତାରିଖ ୨୦୨୩କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଗୋଟି ନିର୍ବାଚନ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ୩୦ଗୋଟି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟର ସବୁବୁଥ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ ରେ ୨୦୨୩ ମସିହାରେ ଫଟୋ ଭୋଟର ତାଲିକା ପ୍ରକାଶ କରାଯାଇଛି । ବରଗଡ଼ ଜିଲ୍ଲାର ୦୧-ପଦମ୍ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହୋଇଥିବାରୁ ସେଠାରେ ବର୍ତମାନ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲୁରହିଛି ।
୧୪୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଫଟୋ ଭୋଟର ତାଲିକା ଗତ ୦୯/୧୧/୨୦୨୨ରେ ପ୍ରକାଶିତ ହୋଇଥିଲା ।୫,୯୪,୬୧୩ ଗୋଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଛି । ଭୋଟର ତାଲିକାରୁ ନାମ ବାଦଦେବା ନିମନ୍ତେ ଫର୍ମ ନଂ-୭ ଜରିଆରେ ୩,୨୪,୨୩୧ ଗୋଟି ଦରଖାସ୍ତ ଗ୍ରହଣ କରାଯାଇଥିଲା ଓ ୩,୨୦,୫୦୬ ଜଣଙ୍କ ନାମ ଭୋଟର ତାଲିକାରୁ ବାଦଦେବା ନିମନ୍ତେ ଅନୁମୋଦନ ଲାଭ କରିଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଏବଂ ବାସସ୍ଥାନ ପରିବର୍ତନ ନିମନ୍ତେ ଫର୍ମ ନଂ-୮ରେ ଗ୍ରହଣ କରାଯାଇଥିବା ୨,୧୪,୦୦୦ ଦରଖାସ୍ତକୁ ଅନୁମୋଦନ କରାଯାଇଛି । ୨୦୨୩ ମସିହାର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ୧,୬୪,୯୬,୧୫୩ ଜଣ ପୁରୁଷ ଭୋଟର ହୋଇଥିବାବେଳେ ୧,୫୮,୪୯,୯୬୬ ଜଣ ମହିଳା ଏବଂ ୩୨୨୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ଏତଦ ବ୍ୟତୀତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ୭୮,୨୬୦ ଜଣ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି ଏବଂ ପରବର୍ତୀ ଯୋଗ୍ୟତାସୂଚକ ତାରିଖ ସମୟରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ । ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟରମାନଙ୍କର ଫଟୋ ଭୋଟର ପରିଚୟ ପତ୍ର ସ୍ପିଡ଼୍ ପୋଷ୍ଟ ଡାକ ଯୋଗେ ଘର ଠିକଣାରେ ବିନା ମୂଲ୍ୟରେ ପହଂଚିବ । ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀର ଆଦିବାସୀମାନେ ବସବାସ କରୁଥିବା ଜିଲ୍ଲାଗୁଡ଼ିକରେ ୨୨୭ ଗୋଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ କରାଯାଇ ଯୋଗ୍ୟ ନିର୍ବାଚକମାନଙ୍କୁ ତାଲିକାଭୁକ୍ତ କରାଯାଇଛି ।
୨୦୨୩ ମସିହାର ଚିଠା ଭୋଟର ତାଲିକାରେ ରାଜ୍ୟର ଲିଙ୍ଗ ଅନୁପାତ ୯୫୯ ଜଣରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି । ସେହିପରି ୨୦୨୩ ମସିହା ଫଟୋ ଭୋଟର ତାଲିକା ଅନୁସାରେ ୧୮-୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୨,୧୦,୨୬୮ରୁ ୪୪୬୭୭୯କୁ ବୃଦ୍ଧିପାଇଛି । ୨୦୨୨ ମସିହାର ଫଟୋ ଭୋଟର ତାଲିକାରେ ଶତକଡ଼ା ୯୯.୭୪% ଫଟୋ ନିର୍ବିାଚକ ଥିବାବେଳେ ୨୦୨୩ ମସିହାରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଶତକଡ଼ା ୯୯.୯୯% ଫଟୋ ନିର୍ବାଚକ ଅଛନ୍ତି । ସେହିପରି ୨୦୨୩ର ଭୋଟର ଫଟୋ ପରିଚୟ ପତ୍ରଧାରୀଙ୍କ ସଂଖ୍ୟା ଶତକଡ଼ା ୯୯.୯୯କୁ ବୃଦ୍ଧି ପାଇଛି । ୨୦୨୩ ମସିହାର ଚିଠା ଭୋଟର ତାଲିକାରେ ୪୯୮୯୭ ଜଣ ସର୍ଭିସ ଭୋଟର ଥିବାବେଳେ ୨୦୨୩ର ଚୂଡ଼ାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୪୯୯୧୯ ଜଣ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।