ମାଲକାନଗିରି, ମାଲକାନଗିରି ବ୍ଳକ ଅନ୍ତର୍ଗତ ଗୋରାକୋଣ୍ଟା ଗ୍ରାମପଞ୍ଚାୟତ ଅଧିନସ୍ଥ କୃଷୁୱାଡା ଗ୍ରାମର ବାସିନ୍ଦା ମାନେ ସେମାନଙ୍କୁ ପାରମ୍ପରିକ ବନବାସୀର ମାନ୍ୟତା ଦେଇ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଗତକାଲି ଜିଲ୍ଳାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବୀପତ୍ରରେ ସେମାନଙ୍କ ମାତୃଭାଷା “ତେଲୁଗୁ” ଏବଂ ଆମ୍ଭେ ଆଞ୍ଚଳିକ ପାରମ୍ପରିକ ବନବାସୀ “ଭାଲମିକ” (ୱାଲମିକି) ଉପଜାତିର ଅନ୍ତର୍ଗତ ଅଟୁ, ଏଣୁ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ, ସରକାରଙ୍କ ନିୟମ ମୁତାବକ ଆମ୍ଭେମାନେ ଦୀର୍ଘ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ଜଙ୍ଗଲ ଜମିର ପଟ୍ଟା ପାଇବାକୁ ହକ୍ଦାର୍ ହୋଇଥିଲେ ମଧ୍ୟ ସେଥିରୁ ବଞ୍ଚିତ ହୋଇଛୁ।
୧୯୩୬ ମସିହାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଲା, ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ସହ ମିଶି ରହିଥିଲା। ୧୯୩୬ ପରେ ଆମ୍ଭମାନଙ୍କ ବଂଶଧର ମାନେ କେତେକ ଆନ୍ଧ୍ରପ୍ରଦେଶରେ ରହିଗଲେ, ଆଉ ଆମ୍ଭେମାନେ ଓଡିଶାବାସୀ ହୋଇ ରହିଗଲୁ। ଆନ୍ଧ୍ରପ୍ରଦେଶରେ ଆମ୍ଭବଂଶଜମାନେ ଏସଟି ର ମାନ୍ୟତା ପାଇଛନ୍ତି। ସେମାନଙ୍କର ଉପଜାତି “ଭାଲମିକ” (ୱାଲମିକି) ଲିପିବଦ୍ଧ ହୋଇଛି। ଆମ୍ଭେମାନେ ମଧ୍ୟ “ଭାଲମିକ” (ୱାଲମିକି) ଉପଜାତିର ଅଟୁ ଯାହା ଓଡିଶା ପ୍ରଦେଶରେ ଏସସି ର ମାନ୍ୟତା ପାଇଛି। ଦୁର୍ଭାଗ୍ୟର ବିଷୟ ଓଡିଶାରେ ଆମ୍ଭମାନଙ୍କ ପଟ୍ଟାରେ ଉପଜାତି “ଡମ୍ବ” ଲିପିବଦ୍ଧ କରାଯାଇଛି। ଆମ୍ଭ ସଂପ୍ରଦାୟ (ତେଲୁଗୁ )ରେ “ଡମ୍ବ” ଉପଜାତି କେହି ନାହାନ୍ତି। ପାରମ୍ପରିକ ଭାବେ ଆମେ “ଭାଲମିକ” (ୱାଲମିକି) ଉପଜାତିର ଅଟୁ।
୧୯୫୮ ମସିହାରେ ବାଉଣ୍ଡାରି ସର୍ଭେ ଏବଂ ଜମି ବନ୍ଦୋବସ୍ତ ପ୍ରକ୍ରିୟା ମାଲକାନଗିରିରେ ଆରମ୍ଭ ହୋଇଥିଲା। ସେ ସମୟରେ ଆମ୍ଭ ପୂର୍ବ ପୁରୁଷ ଓଡିଆ ଭାଷା ଜାଣି ନଥିଲେ ଠିକ୍ ସେହିପରି ବନ୍ଦୋବସ୍ତ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ତେଲୁଗୁ ବୁଝିପାରୁନଥିଲେ ଏହି ପରିସ୍ଥିତିରେ ସର୍ଭେ ଏବଂ ବନ୍ଦୋବସ୍ତ ପରେ ୧୯୬୧ ମସିହାରେ ଆମ୍ଭ ସଂପ୍ରଦାୟର ୩୩ ଟି (ଖାତା) ଦିଆ ହୋଇଛି, ଯେଉଁଥିରେ ଆମ୍ଭମାନଙ୍କ ଉପଜାତି “ଭାଲମିକ” (ୱାଲମିକି) ପରିବର୍ତ୍ତେ “ଡମ୍ବ” ଲେଖାଯାଇଅଛି।
ପୂର୍ବରୁ ଏହି ମାଲକାନଗିରି ଜିଲ୍ଲା ପାହାଡ, ପର୍ବତ, ବଣ ଜଙ୍ଗଲରେ ପରିପୁର୍ଣ୍ଣ ଥିଲା। ୧୯୬୪ ମସିହାରେ ବଙ୍ଗୀୟ ଶରଣାର୍ଥୀମାନଙ୍କୁ ଏଠାରେ ଥଇଥାନ ପରେ ମାଲକାନଗିରି ଜିଲ୍ଲାର ରୂପରେଖରେ ସଂପୁର୍ଣ୍ଣ ପରିବର୍ତ୍ତନ ହୋଇଗଲା। ମାଲକାନଗିରି ଠାରୁ ମୋଟୁ ଓ ଚିତ୍ରକୋଣ୍ଡା ଠାରୁ ପଡିଆ ମଧ୍ୟଭାଗରେ କେଉଁ ଆଦିମ କାଳରୁ ଆମ୍ଭ ସଂପ୍ରଦାୟ ଏଠାରେ ବସବାସ କରିଆସୁଛନ୍ତି। ଏପରିକି ପ୍ରମାଣ ମିଳେ ୧୯୨୩ ମସିହା ମାନ୍ଦ୍ରାଜ ସର୍ଭେ ଓ ବାଉଣ୍ଡାରି ଆକ୍ଟ୍ – ୯ (୨) ଧାରା ଅନୁଯାଇ ଆମ୍ଭ ସଂପ୍ରଦାୟର ଲୋକମାନଙ୍କୁ (ପୂର୍ବପୁରୁଷଙ୍କୁ) ଦିଆଯାଇଥିବା ନୋଟିସ୍ ବର୍ତ୍ତମାନ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ମହଜୁଦ୍ ଅଛି। ଆମ୍ଭ ଗ୍ରାମ କୃଷୁୱାଡା ପ୍ରାୟ ୧୨୦ ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିବା ଜଣାଯାଏ। ଏହା ପୂର୍ବରୁ ଏହା ଗୁରାଖୁଣ୍ଟା ଗ୍ରାମ ଥିଲା, ଗୁରାଖୁଣ୍ଟା ଗ୍ରାମଟି ଖୁବ୍ ବଡ ଥିଲା। ଆମ୍ଭ ପୂର୍ବ ପୁରୁଷ ଏହି ନାମକରଣ କରିଥିବା ଜଣାଯାଏ। “ଗୁରା” ର ଅର୍ଥ ଓଡିଆରେ “ଗୟଳ” ଓ “ଖୁଣ୍ଟା” ର ଅର୍ଥ ଓଡିଆରେ “କିଆରି” ଅଟେ। ଗୁରାଖୁଣ୍ଟା ଏକ ତେଲୁଗୁ ଶବ୍ଦ ଯାହାର ଅର୍ଥ ଅନୁସାରେ ଗ୍ରାମଟି ନାମକରଣ କରାଯାଇଥିଲା। ସେଠାର ଏକ କିଆରିରେ (ଜମିରେ) ଗୟଳ ପରି ଦିଶୁଥିବା ଏକ ବିରାଟ ପଥର ଏବେ ମଧ୍ୟ ରହିଅଛି। ସତ୍ୟନାରାୟଣ ଦୁଆରିଙ୍କ ହାତ ଲିଖିତ ଏକ ଡାଏରିରେ ତାଙ୍କର ସନ୍ତାନ ଏବଂ ଗ୍ରାମର ଅନ୍ୟମାନଙ୍କର ଜନ୍ମ ତାରିଖ ପଞ୍ଜିକରଣ କରାଯାଇଛି। ସତ୍ୟନାରାୟଣଙ୍କ ପ୍ରଥମ ସନ୍ତାନ ଝିଅ ତଥା “ଡାଲମ୍ମା” ଙ୍କ ଜନ୍ମ ୧୯୩୩ ମସିହାରେ ହୋଇଛି। ଏହିପରି ଅନ୍ୟ ସନ୍ତାନ ଏବଂ ଗ୍ରାମର ଅନ୍ୟମାନଙ୍କର ଜନ୍ମ ଉଲ୍ଲେଖ କରାଯାଇଛି। ସତ୍ୟନାରାୟଣ ଦୁଆରିଙ୍କ ବାପା ଜେଜେବାପା ପୂର୍ବପୁରୁଷ ୩ ପିଢି ଧରି ଉକ୍ତ ଗ୍ରାମରେ (କୃଷୁୱାଡା) (ଗୁରାଖୁଣ୍ଟା )ରେ ଜନ୍ମଗ୍ରହଣ କରିଛନ୍ତି। “ଦୁଆରି” ପରିବାରର ୭ଟି ପିଢି, “ରୁଞ୍ଜେ” ଓ “ବାତିନି” ପରିବାରର ୫ ପିଢି ବିତି ଯାଇଥିବା ଜାଣିବାକୁ ପାଉଛୁ।
ଆମ୍ଭ ସଂପ୍ରଦାୟର ଲୋକମାନେ କୋରକୁଣ୍ଡା, ଚିତ୍ରକୋଣ୍ଡା, ସୁରୁଲୁକୋଣ୍ଡା, ପେଡାକୋଣ୍ଡା, ପାତାକୋଣ୍ଡା, ଗମ୍ପାକୋଣ୍ଡା, ସାଲମାରିକୋଣ୍ଡା, କାଙ୍ଗୁରୁକୋଣ୍ଡା, ମାନ୍ୟମ କୋଣ୍ଡା ଓ ଦୁପେନ୍ କୋଣ୍ଡା ଏହିପରି ଅନେକ ଗ୍ରାମରେ ବାସ କରିଆସୁଥିଲେ। ଗ୍ରାମଗୁଡିକର ନାମକରଣ ତେଲୁଗୁଭାଷାରୁ ଉତ୍ପତ୍ତି ହୋଇଥିବା ଜଣାଯାଏ। “କୋଣ୍ଡା” ର ଅର୍ଥ ଓଡିଆରେ “ପାହାଡ” , ପାହାଡକୁ ଲାଗିରହିଥିବାରୁ ସେପରି ଗ୍ରାମର ନାମକରଣ ଆମ୍ଭ ସଂପ୍ରଦାୟର ପୂର୍ବ ପୁରୁଷମାନେ କରିଆସୁଥିଲେ। “ୱାଡା” ର ଅର୍ଥ “ପଡା” ବା “ସାହି” ଅଟେ। କୃଷୁୱାଡା, ଭେଜାଙ୍ଗିୱାଡା, କାମୱାଡା, ମାରିୱାଡା ଓ ଗୁଣ୍ଠାୱାଡା ଏହିପରି ଅନେକ ଗ୍ରାମ ଆମ୍ଭ ପୂର୍ବପୁରୁଷ କରିଥିବା ଜଣାଯାଏ। ପାଲ୍ଲୀ ର ଅର୍ଥ ଓଡିଆରେ ପଲ୍ଲୀ ବା ଗ୍ରାମ ଅଟେ। ଗିରକାନପାଲୀ, ଅନନ୍ତପାଲୀ, ବାପନପାଲୀ, ତୁମୁସାପାଲୀ, ଚିଡି ପାଲୀ, ଗୋ ରଖପାଲୀ ଓ ଶିଖପାଲୀ ପ୍ରଭୃତି ଆମ୍ଭ ପୁର୍ବପୁରୁଷ ନାମକରଣ କରି ବସବାସ କରି ଆସୁଥିବା ଜଣାଯାଏ। ମାଲକାନଗିରି ସ୍ଵାଧୀନତା ଆନ୍ଦୋଳନକାରୀଙ୍କ ତାଲିକା ଖୋଲିଲେ ପ୍ରାୟ ୨୫୬ ଜଣଙ୍କ ନାମ ଆମ୍ଭ ସଂପ୍ରଦାୟର ବ୍ୟକ୍ତି ବିଶେଷ ଥିବା ଜଣାଯାଏ। ସ୍ଵଧୀନତା ପୂର୍ବରୁ ଏମ୍.ଭି.୧୭ (ବର୍ତ୍ତମାନ ) ଗ୍ରାମ ନିକଟସ୍ଥ ବ୍ରିଟିଶମାନେ କ୍ୟାମ୍ପ କରି ତୀର ଚାଳନା ପ୍ରତିଯୋଗିତା କରୁଥିଲେ। ଆମ୍ଭ ଗ୍ରାମର କାନାୟା ଦୁଆରି ଲକ୍ଷଭେଦି ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କୁ ସେ ସମ୍ବନ୍ଧରେ ବର୍ତ୍ତମାନର ବୁଡୁଗୁଡା ଗ୍ରାମ ପାଖରେ ଚାଷ ଜମି ପ୍ରଦାନ କରାଯାଇଥିଲା। ଯାହାକୁ ବର୍ତ୍ତମାନ ଚକବନ୍ଦୀ ସମୟରୁ ଅନ୍ୟ ମାନଙ୍କ ଦଖଲରେ ରହିଛି। ପଡିଆ ଗ୍ରାମର ଚିନାମ କାର୍ଣ୍ଣାୟା ବ୍ରିଟିଶ ମାନଙ୍କର ଖାଦ୍ୟ ରାନ୍ଧିବା ପରଶିବା କାର୍ଯ୍ୟ କରୁଥିଲେ। ମାଲକାନଗିରି ଜିଲ୍ଲାରେ ଆଦିମ କାଳରୁ ଚାଲି ଆସୁଥିବା ବଡଯାତ୍ରା ମାଲକାନଗିରି ଠାରୁ ବାହାରି ମାନ୍ୟମକୋଣ୍ଡା ଏବଂ ମାନ୍ୟମକୋଣ୍ଡା ଠାରୁ ପ୍ରତ୍ୟାବର୍ତ୍ତନ ପର୍ବ ୧ ମାସ ଧରି ଚାଲେ। ବଡଯାତ୍ରାର ବଡ ଠାକୁର ହେଉଛନ୍ତି ବାଲରାଜୁ, ପୋତରାଜୁ ଓ କାନମରାଜୁ ନାମକରଣ ତେଲୁଗୁ ଭାଷାର ଅଟେ। ଏହା ପୂର୍ବରୁ ଆମ୍ଭ ସମ୍ପ୍ରଦାୟର “ବିଶୋଇ” ମାନେ ପୁଜା କରି ଆସୁଥିଲେ। କାଳକ୍ରମେ ସ୍ଥାନୀୟ ଲୋକମାନେ ଏହି ଦାୟିତ୍ଵ ନେଇଛନ୍ତି। ମାନେମ୍ କୋଣ୍ଡାରେ “ମାନେମ୍” ପୂଜାରୀ ଆମ୍ଭ ତେଲୁଗୁ ସଂପ୍ରଦାୟର ଅଟନ୍ତି।
ରାଜାରାଜୁଡା କାଳରେ ଜମିଦାର ପ୍ରଥା ଚାଲୁଥିଲା। ମାଲକାନଗିରି ସହର ନିକଟ ପଞ୍ଚାୟତ ଗୌଡଗୁଡାର ପୂର୍ବ ନାମ “ଗୋଲାଗୁଡା” ନାମରେ ପରିଚିତ ଥିଲା। ସେହି ଗୋଲାଗୁଡାରେ ତତ୍ କାଳିନ ଜମିଦାର ଡି. ରାଘବ ରାଓ ଓ ଡି. ଆଲମନ୍ତା ରାଓ ଖୁବ୍ ନାମ୍ଜାଦା ଜମିଦାର ଥିଲେ। ତାଙ୍କ କାଳରେ ଏହି ଅଞ୍ଚଳର ଲୋକ ମାନେ ଯାଇ ପାଳିକରି ଜମି ଚାଷ କରିବା, ଧାନ ବୁଣିବା, ଧାନ କାଟିବା, ଧାନ ଅମଳ କରି ଆସୁଥିଲେ। ( ଏ ସମସ୍ତ କାର୍ଯ୍ୟ ଲୋକେ ନିଜର ଖାଇ ବେଠିଖଟି ଆସୁଥିଲେ)।
ଭେଜିଙ୍ଗିୱାଡା ନିକଟସ୍ଥ “କୁରୁକୁଣ୍ଡି” ଗ୍ରାମର ତତ୍କାଲିନ ଜମିଦାରଙ୍କୁ ରାଜୁଲୁ ବୋଲି ମାନୁଥିଲେ। ବାଲିମେଳା ନିକଟସ୍ଥ ନିଳକାମ୍ବେରୁର ଜମିଦାରକୁ ସାହୁକାର ବୋଲି କହୁଥିଲେ। ଉକ୍ତ ତିନି ଜଣ ଜମିଦାରଙ୍କୁ ଖଜଣା ରୂପେ ଗାଇଘିଅ ପଇଠ କରୁଥିଲେ। ଉକ୍ତ ଜମିଦାରଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା ଅଧିକ ଜମି ରହିଛି ଏବଂ ତାଙ୍କର ବଂଶଜମାନେ ମଧ୍ୟ ଏବେବି ଅଛନ୍ତି। ଶୁଣିବାକୁ ମିଳେ ଅଧିକ ଜମି ଓ ଅଧିକ ହଳ (ବଳଦଯୋଡି) ଥିଲେ ସେହିବ୍ୟକ୍ତିକୁ ଅଧିକ କର ଦେବାକୁ ପଡିଥାଏ। ଏଣୁ ସେମାନେ ଗୋଟିଏ ହଳ ଓ କିଛି ଜମି ଥିବାପରି ସରକାରଙ୍କୁ ଦେଖାଉଥିଲେ।
ମାଲକାନଗିରି ଠାରୁ ମୋଟୁ ଓ ଚିତ୍ରକୋଣ୍ଡା ଠାରୁ ପଡିଆ ପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳକୁ ଶାସନର ସୁବିଧା ଦୃଷ୍ଟିରୁ ୫ ଭାଗରେ ବିଭକ୍ତ କରାଯାଇଥିଲା। ସେହି ପୂରାତନ କାଳରେ ଏହି ଭାଗ ବା ଅଞ୍ଚଳକୁ ତେଲୁଗୁରେ “ମୁଟା” କହନ୍ତି। ସେହି ମୁଟା ନାମରେ (୧) ପନ୍ଦେଲ୍ ମୁଟା (ମାରିୱାଡା) (୨) କୋରେଲ୍ ମୁଟା (କରୁକୋଣ୍ଡା) (୩) ଆଲୁର୍ ମୁଟା (ଚାଲାଣଗୁଡା ରାସ୍ତାରେ ଏକ ଗ୍ରାମ) (୪) ଭେଜାଙ୍ଗିୱାଡା ମୁଟା (୫) ପଡିଆ ମୁଟା ନାମରେ ପରିଚାଳିତ ହେଉଥିଲା। ପ୍ରତ୍ୟେକ ମୁଟା ବା ଅଧିଷ୍ଟାତ୍ରି ଦେବୀ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ପାଉଛନ୍ତି। ଏଠାର ମୁଖ୍ୟଙ୍କୁ ମୁଟାଧାରୀ କହନ୍ତି। ଅତୀତରେ ଏହି ପାହାଡ ପର୍ବତ ଘେରା ଅଞ୍ଚଳକୁ ଭୌଗଳିକ ଦୃଷ୍ଟିକୋଣରୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବଘାଟ ପର୍ବତମାଳା ବେଷ୍ଟିତ ଅଞ୍ଚଳକୁ “ମାନେମ୍” କୁହାଯାଏ। ଏଥିପାଇଁ ପାହାଡ ବେଷ୍ଟିତ ଗାଁ ଟିକୁ ବର୍ତ୍ତମାନ ମାନେମ୍ କୋଣ୍ଡା କୁହାଯାଉଛି। ମାଲକାନଗିରିମ୍ ଅଞ୍ଚଳର ପ୍ରାୟ ସମସ୍ତ ପୁରାତନ ଗ୍ରାମ ଗୁଡିକର ନାମକରଣକୁ ଲକ୍ଷ୍ୟକଲେ ଆମ୍ଭ ତେଲୁଗୁ ସଂପ୍ରଦାୟର ପୂର୍ବ ପୁରୁଷମାନେ ଏହାର ନାମକରଣ କରିଥିବା ପ୍ରତ୍ୟେକ୍ଷ ଜଣାପଡେ। ଏଣୁ ଆମ୍ଭେମାନେ ଆମ୍ଭମାନଙ୍କ ପିତା, ପରପିତା କାଳରୁ ଏଠାରେ ଏହି ବଣଜଙ୍ଗଲ, ପାହାଡ ପର୍ବତ ମଧ୍ୟରେ ବସବାସ କରି ଆସୁଥିବାର କୌଣସି ପ୍ରକାର ଅବିଶ୍ଵାସ କରାଯାଇ ପାରିବ ନାହିଁ।
ଏଣୁ ବିନିତ ଅନୁରୋଧ ସହ ପ୍ରାର୍ଥନା କରୁକି, ଉପର ଲିଖିତ ସମସ୍ତ ତଥ୍ୟର ସତ୍ୟାସତ୍ୟ ଅନୁଧ୍ୟାନ ପୁର୍ବକ ଆମ୍ଭମାନଙ୍କୁ “ଆଞ୍ଚଳିକ ପାରମ୍ପରିକ ବନବାସୀ” ର ମାନ୍ୟତା ଦେଇ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ଭୋଗ ଦଖଲରେ ଥିବା ଜଙ୍ଗଲଜମିର ପଟ୍ଟା ପ୍ରଦାନ କରିବାକୁ ଜଣାଇଛନ୍ତି।