
ବୌଦ୍ଧ, ବୌଦ୍ଧଜିଲ୍ଲାରେ ହକି ବିଶ୍ୱ କପ୍ କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୋମବାର ସନ୍ଧ୍ୟାରେ ମନମୁଣ୍ଡା ଠାରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ବିଶ୍ୱକପକୁ ସ୍ୱାଗତ କରାଯିବା ସହିତ ବୌଦ୍ଧ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ବୌଦ୍ଧରେ ବିଶ୍ୱକପ୍ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଚେରୀ ଖେଳପଡିଆଠାରେ ସ୍ୱାଗତ କରାଯାଇଥିଲା । ମଙ୍ଗଳବାର ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱକପ୍ କୁ ଆଦର୍ଶ କୃଷକ ବଜାର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ସ୍ୱାଗତ କରାଯିବା ସହିତ ଏକ ମିନି ମାରାଥନ ଓ ବାଇକ୍ ରାଲି ବାହାରି କଚେରୀ ପଡିଆ,ହାତୀଶାଳଛକ,ବାଘଗୁଡା ଛକ ଦେଇ ସହର ପରିକ୍ରମା କରିବା ପରେ ପୁଣିଥରେ କୃଷକ ବଜାରଠାରେ ପହଞ୍ଚିଥିଲା । ପରେ ସ୍ଥାନୀୟ କଚେରୀ ଖେଳପଡିଆଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୮ ଫୁଟ୍ ର ହକିଷ୍ଟିକ୍ କୁ ଉଦଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାପରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା,ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଶ୍ୱକପ କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଗେହ୍ଳାମା କଳାନିକେତନ ପକ୍ଷରୁ ସଙ୍ଗିତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଖେଳାଳୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ପୁରା ବୌଦ୍ଧ ସହରର କମ୍ପି ଉଠିଥିଲା । ପରେ ବିଶ୍ୱକପ୍ କୁ ଏକ ବିରାଟ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ନିଆଯାଇଥିବାବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା ।