ପାରାଦ୍ଵୀପ, ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଜାରୀ ରହିଥିବା ବେଳେ ଆଜି ପାରାଦ୍ଵୀପରେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ପାରାଦ୍ଵୀପ ପୋର୍ଟ ଆଙ୍କରିଙ୍ଗ ଜୋନ୍ ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ସେ ହେଉଛନ୍ତି ଜାହାଜର ଚିଫ୍ ଇଞ୍ଜିନିୟର । ତାଙ୍କ ନାମ ମିଲ୍ ୟାକୁବ ସର୍ଜେଇ । ଏହି ଜାହାଜ ପାରାଦ୍ଵୀପକୁ ଲୁହାପଥର ନେବା ପାଇଁ ବାଂଲାଦେଶ ଚିଟାଗଙ୍ଗରୁ ଆସିଥିଲା । ଏଠାରୁ ଜାହାଜଟି ମୁମ୍ବାଇ ଅଭିମୁଖେ ଯାଇଥାନ୍ତା । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ସ୍ପଷ୍ଟ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ପୃକ୍ତ କମ୍ପାନୀର ବ୍ଲାକରୋଜ ନାମକ ଅନ୍ୟ ଏକ ଜାହାଜ ଗତ ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ପାରାଦ୍ଵୀପ ବନ୍ଦରରୁ ଲୁହାପଥର ବୋଝେଇ କରି ବାହାରକୁ ଯାଉଥିବା ବେଳେ ପାରାଦ୍ଵୀପ ବନ୍ଦରର ଆଙ୍କରିଙ୍ଗ ଜୋନ୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ କି, ଜାହାଜର ଚିଫ୍ ଇଞ୍ଜିନିୟରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଯାହାର ତଦନ୍ତ ଅଦ୍ୟାବଧି ଅମୀମାଂସୀତ ରହିଛି ।
ପ୍ରକାଶ ଥାଉକି, ପୂର୍ବରୁ ରାୟଗଡ଼ାର ଏକ ହୋଟେଲରେ ଭ୍ଲାଦିମିର ବିଦେନୋଭ ନାମକ ଜଣେ ରୁଷୀୟ ପର୍ଯ୍ୟଟକ ଓ ରୁଷ୍ ସାଂସଦ ପାଭେଲ ଆଂଟୋଭଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ।