
ଜୟପୁର, ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ଭାରତ ବର୍ଷରେ ପ୍ରଥମେ ମହିଳା ମାନଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ମହାମାନବୀ ଶିକ୍ଷାର ଦେବୀ ସାବିତ୍ରୀ ବାଇ ଫୁଲେଙ୍କ୧୯୩ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଶ୍ରୀ ଯୁଧିଷ୍ଟିର ରାଉଳ ଏହି ସଭାରେ ସଭାପତିତ୍ଵ କରିଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ଉଦବୋଧନ ଦେଇ କହିଥିଲେ ଯେ, ଯେଉଁ ସମୟରେ ମହିଳା ମାନଙ୍କୁ ଶିକ୍ଷା ଅଧିକାରରୁ ବାହାରେ ରଖା ଯାଉଥିଲା ସେହି ସମୟରେ ସାବିତ୍ରୀ ବାଇ ଫୁଲେ ନିଜ ସ୍ଵାମୀଙ୍କ ଠାରୁ ପ୍ରେରଣା ପାଇ ନିଜେ ପଢିବା ସହ ମହିଳା ମାନଙ୍କୁ ଶିକ୍ଷିତା କରେଇବା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ତାଙ୍କର ସହଯୋଗୀ ଫାତିମା ବି ଓ ତାଙ୍କ ଉପରକୁ ଉଚ୍ଚ ଜାତିର ଲୋକମାନେ ଗୋବର, ପଥର ଫୋପାଡୁ ଥିଲେ । ସେମାନଙ୍କୁ ଦୁଇଟି ଶାଢ଼ୀ ନେଇ ବିଦ୍ୟାଳୟକୁ ଯିବାକୁ ପଡୁଥିଲା କାରଣ ପିନ୍ଧି ଆସିଥିବା ଲୁଗା ବଦଳେଇ ସ୍କୁଲ ରେ ପାଠ ପଢ଼ାଉଥିଲେ । ମହାରାଷ୍ଟ୍ର ରାଜ୍ୟର ପୁଣେରେ ପ୍ରଥମ ମହିଳା ବିଦ୍ୟାଳୟ ସ୍ଥାପନ କରିଥିବା ସାବିତ୍ରୀ ବାଇ ଫୁଲେ ଜଣେ ମରାଠି କବୟତ୍ରୀ ଏବଂ ମହିଳା ମାନଙ୍କ ଅଧିକାର ସମ୍ବନ୍ଧୀୟ ଅନେକ ପୁସ୍ତକ ରଚନା କରିଛନ୍ତି । ୧୮୩୧ ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ମହିୟସୀ ମହିଳା ପ୍ଳେଗ୍ ରୋଗରେ ଆକ୍ରାନ୍ତ ହୋଇ ମାର୍ଚ୍ଚ -୧୦ , ୧୮୯୭ ରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।
ଆଜିର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ସଞ୍ଜୁଲତା ସାହୁ, କମଳା ଜାନୀ, ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ, ସନ୍ୟାସୀ ମାଳି, ନନ୍ଦ ହରିଜନ ପ୍ରମୁଖ ଯୋଗଦାନ କରିଥିଲେ।