
ହରିଚନ୍ଦନପୁର, ସୀମା ଟପିଲା ଯୌତୁକ ନିର୍ଯ୍ୟାତନା । ଯୌତୁକ ଲାଳସାରେ ଅନ୍ଧ ହୋଇ ବର୍ବରକାଣ୍ଡ ଘଟାଇଲେ ଶାଶୁଘର ଲୋକେ । ଯୌତୁକ ପାଇଁ ପ୍ରଥମେ ବୋହୂକୁ ହତ୍ୟା କଲେ ଓ ପରେ ଦୋଷ ଲୁଚାଇବାକୁ ଯାଇ ଏକ ଶାଢ଼ୀରେ ଘର ଭିତରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ହରିଚନ୍ଦନପୁର ଥାନାର ଲିଖିତ ଅଭିଯୋଗ କରିଛନ୍ତି ମୃତ ବୋହୂଙ୍କ ବାପଘର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମପଞ୍ଚାୟତ ଝାଡ଼ପୋଖରୀ ଗ୍ରାମ ବେହେରା ସାହିରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ପୋଖରୀ ଗ୍ରାମର ବିକ୍ରମ ବେହେରାଙ୍କ ପୁଅ ସୁବ୍ରତ ବେହେରା ଗ୍ରାମ ନିକଟସ୍ଥ ବଡ଼ନୂଆଗାଁ ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କ ଝିଅ ମନ୍ଦାକିନୀ ବେହେରା (୧୯)ଙ୍କ ମଧ୍ୟରେ ଦୀର୍ଘ ଚାରି ବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ପରେ ବିବାହ ହୋଇଥିଲା । ପରେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଶାଶୁଘର ଲୋକ ସଙ୍ଘବଦ୍ଧ ଭାବେ ହତ୍ୟା କରିଥିବା ମୃତ ମନ୍ଦାକିନୀଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସହ ସ୍ଥାନିୟ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି । ତ୍ରୀକୋଣିୟ ପ୍ରେମ ପାଇଁ ଏପରି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।