ରାଉରକେଲା, ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା ଡାକ୍ତରଖାନା ଆଇଜିଏଚରେ ଏବେ ଦଲାଲ ରାଜ ବଢି ଚାଲିଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହେବା ସହ ସେମାନଙ୍କ ପରିବାର ବର୍ଗ ହା ହା କାର ଡାକୁଛନ୍ତି। ଦଲାଲ ମାନଙ୍କର ଏହି ଡାକ୍ତରଖାନା ଭିତରକୁ ମନଇଛା ପ୍ରବେଶ ସେବାରେ ଥିବା ରୋଗୀ ମାନଙ୍କ ଲାଗି ନାନା ସମସ୍ୟାର କାରଣ ଓ ସେବା ଏଠାରେ ବେପାର ସାଜିଛିି । ରାଉରକେଲା ସହରର ଏହି ଡାକ୍ତରଖାନା ଲାଗି ସେଲ୍ ଅନେକ ଅର୍ଥ ବିନିଯୋଗ କରୁଛି। ଏହାର ଅନେକ ସୁନାମ ରହିଥିବା ବେଳେ ଏହାର ସୁନାମକୁ ଧିରେ ଧିରେ ଦଲାଲ ମାନେ ନଷ୍ଟ କରିବାରେ ଲାଗିଛନ୍ତି, କିନ୍ତୁ ଏହାର ପ୍ରଶାସନିକ ବ୍ୟବସ୍ଥା ସଂପୁର୍ଣ ନୀରବ । ଏଠାରେ ଘରୋଇ ଓ କାରଖାନାର କର୍ମଚାରୀଙ୍କୁ ସେବା ମିଳିଥାଏ, କାରଖାନାର କର୍ମଚାରୀ ମାନେ ମାଗଣା ଓ ବାହାର ରୋଗୀ ପଇସା ଦେଇ ସେବା ପାଇଥାନ୍ତି । ତେବେ ଏଠାରେ ଆଡମିଟ ହେଉଥିବା ରୋଗୀ ମାନଙ୍କ ଲାଗି ଡାକ୍ତର ଯେଉଁ ମେଡିସିନ ମାନ ଲେଖୁଛନ୍ତି ସେ ସବୁ ବାହାର ମେଡିସିନ ଦୋକାନରୁ ଆଣିବାକୁ ପ୍ରାୟ ପଡିଥାଏ । ତେବେ ମେଡିସିନ ଆଣି ରୋଗୀଙ୍କ ଲୋକ ରଖିବା ପରେ ସେମାନଙ୍କର ଅନୁପସ୍ଥିତର ସୁଯୋଗ ନେଇ, ଇସ୍ପାତ ମାର୍କେଟ ଅଂଚଳରେ ଥିବା କିଛି ମେଡିସନ ିଷ୍ଟୋର ର ଦଲାଲ ମାନେ ସେହି ମେଡିସିନ ଗୁଡିକୁ ଚୋରୀ କରିନେଉଥିବାର ଅଭିଯୋଗ ହେଉଛି । ନାନା ପ୍ରକାର ମେଡିସିନ ଓ ସାଲାଇନ ମାନ ଏଠାରୁ ନିୟମିତ ପ୍ରତିରୋଗୀ ପାଖରୁ ଚୋରୀ ହେଉଛି । ଫଳରେ ପୁଣି ସେହି ମେଡିସିନ ଗୁଡିକୁ ରୋଗୀ ମାନେ ପୁର୍ନବାର କିଣୁଛନ୍ତି । ଏହାଦ୍ଵାରା ଗୋଟାଏ ରୋଗୀ ଚିକିତ୍ସା ହେବା ଲାଗି ଯାହା ଖର୍ଚ୍ଚ ହେବା କଥା ତାହା ବଢିଯାଇ ତାର ପରିବାର ବର୍ଗଙ୍କୁ ନାନା ସମସ୍ୟାରେ ପକାଉଛି । ତେବେ ଡାକ୍ତରଖାନା ଭିତରକୁ ସବୁ ସମୟରେ ସବୁ ଲୋକ ଯାଇପାରିବେନି, ସେଥିଲାଗି ସୁରକ୍ଷା ବ୍ୟବସ୍ଥା ଏଠାରେ ରହିଛି, ତା ସତ୍ବେ କିଭଳି ଏହି ଦଲାଲ ମାନେ ଡାକ୍ତରଖାନା ଭିତରକୁ ପ୍ରବେଶ କରୁଛନ୍ତି ସେନେଇ ଉଠିଛି ପ୍ରଶ୍ନ । ତା ଛଡା ଭୁବନେଶ୍ଵର କଟକର କିଛି ଘରୋଇ ଡାକ୍ତରଖାନାର ଦଲାଲ ମଧ୍ୟ ଏଠାରେ ଘୁରି ବୁଲିବା ସହ କିଛି ଘରୋଇ ଆମ୍ବୁଲାନ୍ସ ବାଲାଙ୍କୁ ହାତରେ ରଖିଛନ୍ତି, ସେମାନେ ଗୁରୁତର ରୋଗୀ ମାନଙ୍କୁ ବିଭିନ୍ନ ଡାକ୍ତରଙ୍କ ମାଧ୍ୟମରେ ଏଠାରୁ ରେଫର କରି ସେହି ସବୁ ଡାକ୍ତରଖାନାକୁ ନେଇ ବେପାର ଚଳାଇଥିବା ଅଭିଯୋଗ ହେଉଛି । ବିଶେଷ କରି ଯେଉଁମାନଙ୍କର ବୀମା ସୁବିଧା ଓ ଆରଏସପିରୁ ବିଲ ହେବାର ସୁବିଧାର ରହିଛି ସେହି ସବୁ ରୋଗୀ ମାନଙ୍କୁ ଏମାନେ ଟାର୍ଗେଟ କରୁଥିବା କୁହାଯାଉଛି । ଏହି ଡାକ୍ତରଖାନାରେ ରୋଗୀ ସେବା ଏବେ ବେପାରରେ ପରିଣତ ହୋଇଥିବା ବେଳେ ଏହାର ପାଇଖାନା ଓ ଅନ୍ୟାନ୍ୟ ସଫେଇ କାମ ମଧ୍ୟ ସଠିକ ଭାବେ ହେଉନଥିବା ଅଭିଯୋଗ ହେଉଛି । ବରିଷ୍ଠ ଡାକ୍ତରମାନେ ଏଠି କିଛି ରୋଗୀଙ୍କୁ ସମୟ ଦେଉଥିବା ବେଳେ କନିଷ୍ଠ ଡାକ୍ତରମାନଙ୍କ ଉପରେ ଅନ୍ୟ ରୋଗୀ ମାନେ ଭରଷା କରୁଛନ୍ତି । ଯଦିବି କେହି ବରିଷ୍ଠ ମାନଙ୍କୁ ଅନୁରୋଧ କରୁଛି ସେମାନେ କର୍ଣପାତ କରୁନଥିବାର ଅଭିଯୋଗ ହେଉଛି । ଏତେ ସବୁ ସମସ୍ୟା ରହିଥିବା ବେଳେ ରୋଗୀ ମାନେ କାହାକୁ ଗୁହାରୀ କରି ନ୍ୟାୟ ପାଇବେ ଓ ସେବା ପାଇବେ ତାହା ଜାଣି ପାରୁନାହାନ୍ତି ।
ଡାକ୍ତରଖାନା ପରିସରରେ ଜଣେ ପ୍ରଶାସନିକ ଅଧିକାରୀ ଅନେକ ଦରମା ନେଇ ବସିଛନ୍ତି, ତା ସତ୍ବେ ଏତେ ସବୁ ସମସ୍ୟା ଲାଗି ରହିବା ରୋଗୀ ସେବା ଏଭଳି ଅନୁଷ୍ଠାନରେ ବେପାର ଓ ଶୋଷଣରେ ପରିଣତ ହେବା ସେହି ପଦବୀର ଗାରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ଵାଭାବିକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।