
ଜୟପୁର, ଆଜି ଠାରୁ କାଗଜ କଳ ଅବସରପ୍ରାପ୍ତ ଶ୍ରମିକଙ୍କ ପକ୍ଷରୁ ୟୁନିଟ୍ ହେଡ୍ ଙ୍କ ବାସଭବନ ସମ୍ମୁଖରେ ପ୍ରତୀକାତ୍ମକ ଦଣ୍ଡାୟମାନ ଧାରଣା ଆରମ୍ଭ ହୋଇଛି । ଶ୍ରମିକ ମାନେ ସେମାନଙ୍କ ବକେୟା ପାଉଣାରୁ ପ୍ରତି ମାସରେ କିଛି ଅଂଶ ଦେବାପାଇଁ ଦାବି କରି ଗତ ସେପ୍ଟେମ୍ବର – ୨୦ ରେ ଧାରଣା ଆରମ୍ଭ କରିଥିଲେ ଏବଂ ସେଦିନ ୟୁନିଟ୍ ହେଡ୍ କହିଥିଲେ ଯେଉଁ ମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ, ଯେଉଁମାନେ ଗାଁ କୁ ଚାଲିଗଲେ ଘରଭଡ଼ା ଦେଇନପାରି ଏବଂ ଯେଉଁ ଶ୍ରମିକ ମାନେ ମରିଯାଇଛନ୍ତି ସେମାନଙ୍କ ପରିବାରକୁ କିଛି ନା କିଛି ଦିଆଯିବ । କିନ୍ତୁ, କେବଳ ଦଶହରା ସମୟରେ ୯,୦୦୦ ଟଙ୍କା ଦେଲେ ଏବଂ ତାପରେ ଆଉ କିଛି ନାହିଁ । ୨୦୨୦ ମସିହାରୁ ଯେଉଁମାନେ ଅବସର ନେଲେଣି ସେମାନେ ପି ଏଫ୍ କି ପେନସନ ପାଇପାରି ନାହାଁନ୍ତି। ବହୁ ଦାବି ପରେ ବକେୟା ପାଉଣା, ଗ୍ରାଚ୍ୟୁଇଟି କେତେ ପାଇବେ ତାର ହିସାବ ଦେଲେ କିନ୍ତୁ ସର୍ତ୍ତ ହେଉଛି ୫,୫୦୦ ମେଟ୍ରିକ୍ ଟନ୍ ଉତ୍ପାଦନ ହେଲେ ବକେୟା ପାଉଣା ଦିଆଯିବ । ଏପଟେ କଞ୍ଚାମାଲ, କୋଇଲା, କେମିକାଲ ଅଭାବରୁ ମାସ ମାସ ଧରି କାରଖାନା ବନ୍ଦ ରହୁଛି ।
ପ୍ରକାଶଯୋଗ୍ୟ ଯେ, ୨୦୨୦ ଫେବୃଆରୀ – ୨୬ ତାରିଖରେ ବିଜିପିପିଏଲ୍ ଓ ଏମ୍ଇଆରପିଏଲ୍ ମଧ୍ୟରେ ହରିଆନା ସରକାରଙ୍କ ଷ୍ଟାମ୍ପ ପେପର୍ ରେ ଦ୍ଵିପାକ୍ଷିକ ବିଜିନେସ୍ ଟ୍ରାନ୍ସଫର୍ ଏଗ୍ରିମେଣ୍ଟ ଦସ୍ତଖତ ହୋଇଛି ଏବଂ ତାରି ଆଧାରରେ ନୂଆ କମ୍ପାନୀ ମଦର ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ ରୁ ୧୫୦ କୋଟି ଟଙ୍କା ରୁଣ ନେଇଛି । ସେଥିରୁ ୧୦୦ କୋଟି ଟଙ୍କା ପୁରୁଣା ବିଜିପିପିଏଲ୍ ମୁଖ୍ୟ ଗୈାତମ ଥାପରଙ୍କୁ ଦେଇଛି ବୋଲି ୨୦୨୨ ମାର୍ଚ୍ଚ ମାସରେ ନୂଆ ମ୍ୟାନେଜମେଣ୍ଟ ମୁଖିଆ ମାନେ ୟୁନିଅନ ମାନଙ୍କ ମିଟିଂ ରେ କହିଲା ପରେ ସମସ୍ତେ ଜାଣିଲେ ଯେ ଏମାନେ ଯେଉଁ କମ୍ପାନୀ ବାବଦରେ ଟଙ୍କା ନେଇ ପକେଟ୍ ଗରମ କଲେ ସେଠାର ଶ୍ରମିକ ମାନଙ୍କୁ ଟଙ୍କାଟିଏ ବି ଦେଲେନି । ବ୍ୟାଙ୍କ ତାଗିଦ୍ କରିବା ପରେ ନୂଆ କମ୍ପାନୀ ଓଡ଼ିଶା ସରକାରଙ୍କ ପାଖରେ ଏନ୍ ଓ ସି ଦେବା ପାଇଁ ଦରଖାସ୍ତ କଲେ । କମ୍ପାନୀ କିଣା ବିକା ସମ୍ବନ୍ଧୀୟ କାଗଜ ପତ୍ର ଶ୍ରମିକ ମାନଙ୍କୁ କେବେ ଦେଖାଇଲେ ନାହିଁ, ବହୁ ଦାବି ପରେ ଶ୍ରମ ବିଭାଗ ଜରିଆରେ ବିଟିଏ ସମ୍ବନ୍ଧୀତ ବୁଝାମଣା ପତ୍ର ଦେଲେ । ଏନ୍ ଓ ସି ଦେବା ପୂର୍ବରୁ ୟୁନିଅନ ମାନେ ଓଡ଼ିଶା ସରକାରଙ୍କ ମୁଖ୍ଯ ଶାସନ ସଚିବଙ୍କୁ ଶ୍ରମିକ ମାନଙ୍କ ବକେୟା ପାଉଣା ଏବଂ ଚାକିରୀ ସର୍ତ୍ତାବଳୀ, ପି ଏଫ୍, ଇ ଏସ୍ ଆଇ କଥା ଲେଖି ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ୟୁନିଅନ ମାନଙ୍କ ଦରଖାସ୍ତକୁ ଅଣଦେଖା କଲେ, ଯଦିଓ ଆଗରୁ ୟୁନିଅନ ଓ ମ୍ୟାନେଜମେଣ୍ଟ ସହ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୭ – ୧୮ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ ଅବସରପ୍ରାପ୍ତ ଶ୍ରମିକ ଓ ସଂଗଠନ ମାନେ। ଜିଲ୍ଲାପାଳ ପି ଏଫ୍ କମିଶନରଙ୍କୁ ଡକେଇ ନଭେମ୍ବର – ୧୧,୨୦୨୨ ରେ ମିଟିଂ କରିଛନ୍ତି ଏବଂ ମାର୍ଚ୍ଚ ମାସ ପିଏଫ୍ ପାଉଣା ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂନର୍ବାର ନଭେମ୍ବର ୧୭ ତାରିଖରେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ସେ ନିଜେ କହିଥିଲେ ଯେ, ଯେହେତୁ ଦୁଇଟି ଯାକ ମେସିନ୍ ଚାଲିଲାଣି ପୁରା ଦରମା ଦେବା ଓ ଅନ୍ୟାନ୍ୟ ବିଷୟ ସମାଧାନ ପାଇଁ ମୁଁ ନିଜେ ସବୁ ପକ୍ଷକୁ ଡକେଇବି । ଜିଲ୍ଲାପାଳ ଡିସେମ୍ବର – ୯ ତାରିଖରେ ସବୁ ପକ୍ଷଙ୍କୁ ଚିଠି କରି ମିଟିଂ ଡକେଇ ଥିଲେ । କିନ୍ତୁ, ହଠାତ୍ ୭ ତାରିଖରେ ମିଟିଂ କୁ ସ୍ଥଗିତ ରଖାଗଲା ବୋଲି ଶ୍ରମ ଅଧିକାରୀଙ୍କ ଜରିଆରେ ଚିଠି କଲେ । କୋରାପୁଟ ପରବ ମହୋତ୍ସବ ପାଇଁ ବ୍ୟସ୍ତ ଥିବା ଏବଂ ପରେ ଡକେଇବା ପାଇଁ ଅବଶ୍ୟ କହିଥିଲେ । କିନ୍ତୁ, କାରଣ ଆଜି ବି ଅସ୍ପଷ୍ଟ ଯେ କେଉଁ କାରଣରୁ ମିଟିଂ ବନ୍ଦ ହେଲା ଆଉ କାହିଁକି ଜିଲ୍ଲାପାଳ ପୁନର୍ବାର ମିଟିଂ ଡାକୁ ନାହାଁନ୍ତି ? ମ୍ୟାନେଜମେଣ୍ଟ ଅତି ଚତୁରତାର ସହ ସବୁଠି କହୁଛି ଯେ ସେମାନେ ଅବସରପ୍ରାପ୍ତ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେଉଛନ୍ତି। ହେଲେ ଆଜିକୁ ତିନି ମାସ ହେଲା ଯେଉଁ ମାନଙ୍କୁ ଡ୍ୟୁଟି ଦେଇଛି ସେମାନଙ୍କୁ ଦରମା ମିଳିନି । ସ୍ଥାୟୀ ଶ୍ରମିକ, ଠିକା ଶ୍ରମିକ, ସେକ୍ୟୁରିଟୀ ଗାର୍ଡ ଏବଂ ଅଫିସର୍ ମାନେ ମଧ୍ୟ ଦରମା ପାଇନାହାନ୍ତି । କିଭଳି ପରିବାର ନେଇ ଚଳିବେ କେହି ବୁଝିବାକୁ ନାହିଁ । ଦାବି କଲେ କୁହାଯାଉଛି ” ବନ୍ଦ କରନା ହୈ ତୋ କରୋ ” । ଶ୍ରମିକ ମାନେ ମୁହଁରେ ତୁଣ୍ଡି ବାନ୍ଧି ରହିବା ଛଡା ଅନ୍ୟ ଉପାୟ ନାହିଁ । ଏପଟେ ଶ୍ରମିକ ମାନଙ୍କ ଚାକିରି ସର୍ତ୍ତାବଳୀ କାଟି ଦେଉଛି, ଶ୍ରମ ବିଭାଗ ମିଟିଂ ଡାକି ସମାଧାନ କରିବା ପାଇଁ ମଧ୍ୟ ଉଦ୍ୟମ କରୁନି । ସରକାର ଏ କମ୍ପାନୀ କୁ ଏନ୍ ଓ ସି ଦେଲେ କାରଖାନା ଚାଲିବ ବୋଲି । କାରଖାନା କ’ଣ ଶ୍ରମିକ ମାନଙ୍କ ପେଟକୁ ମାରି ଚାଲିବ କି ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଏକ ରୁଗଣ କାରଖାନାକୁ ବିକାକିଣା କରି ଅର୍ଥ ହେରଫେର ହେଇଗଲା ସମସ୍ତଙ୍କ ଆଖି ଆଗରେ, କେହି କିଛି କରି ପାରିଲେ ନାହିଁ ? ଏ ପ୍ରଶ୍ନ ଆଜି ସାଧାରଣରେ ଚର୍ଚ୍ଚା ହେଉଛି । କାଗଜ କଳକୁ ସ୍ବାଭାବିକ ଭାବେ ଚଳେଇବା ଓ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ଆଗକୁ ଆନ୍ଦୋଳନ ଜୋରଦାର ହେବ ଏବଂ ଓଡ଼ିଶା ସରକାରଙ୍କ ଅପାରଗତାକୁ ପଦାରେ ପକାଯିବ ବୋଲି ପ୍ରମୋଦ ମହାନ୍ତି ସୂଚନା ଦେଇଛନ୍ତି । ୟୁନିଟ୍ ହେଡ୍ ରହୁଥିବା ଆବାସିକ ଅଞ୍ଚଳରେ ଭିଡ଼ ନ କରି ଜଣେ ଦୁଇ ଜଣ ଲେଖାଏଁ ପ୍ରତିଦିନ ଏଭଳି ବିକ୍ଷୋଭ ଧାରଣାରେ ସାମିଲ୍ ହେବେ ।