ପୁରୀ ,ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ କୁ ନଜରରେ ରଖି ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଯେଉଁଥି ପାଇଁ ୨୦ ଫୁଟ୍ ଓସାରରେ ବାଉଁଶର ବାରିକେଟ୍ କରାଯାଇଥିଲା ।
ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପହଁଚିଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ହେଲେ ଦର୍ଶନ ପାଇଁ ଭକ୍ତମାନଙ୍କୁ ଧାଡିରେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଥିଲା ଯେଉଁଥିପାଇଁ ଅନେକ ଭକ୍ତ ଥକି ଯାଇ ବଡଦାଣ୍ଡରେ ବସି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଏବଂ ଟ୍ରାଫିକ୍ ଗାଇଡଲାଇନ୍ ଜାରି କରାଯାଇଥିଲା ।
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ହେଲପ୍ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଥିଲା ।
ଶ୍ରୀମନ୍ଦିର ପ୍ରବେଶ ପାଇଁ ବଜାର ଛକରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଥିବା ବେଳେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ଉଠା ଦୋକାନକୁ ୨ ଦିନ ପାଇଁ ବନ୍ଦ କରାଯାଇଥିଲା । ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସହିତ ବଡ଼ଦାଣ୍ଡ, ସମୁଦ୍ରକୂଳ ଓ ସହରର ବିଭିନ୍ନ ସ୍ଥାନରେ ଦକ୍ଷ ପୋଲିସ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।