ପୁରୀ, ବିଦାୟ ନେଇଛି ବର୍ଷ ୨୦୨୨ । ୨୦୨୩ ର ଆଗମନ ହୋଇଛି । ଆଜି ଇଂରାଜୀ ନବବର୍ଷରେ ପହିଲି ସକାଳର ସୂର୍ଯ୍ୟଙ୍କୁ ମହୋଦଧି କୂଳରେ ହଜାର ହଜାର ସଂଖ୍ୟା ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ଦର୍ଶନ କରିଛନ୍ତି । ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପର୍ଯ୍ୟଟକଙ୍କ ଭିଡ଼ ସହ ଶ୍ରଦ୍ଧାଳୁ ମାନେ ସ୍ନାନପୂର୍ବକ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି । ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ଠାରୁ ବ୍ୟାରିକେଟ ଦେଇ ସିଂହଦ୍ଵାର ଭକ୍ତସେଡ୍ ପର୍ଯ୍ୟନ୍ତ ଆସିବା ସହ ମେଟାଲ ଡିଟେକ୍ଟରରେ ପ୍ରବେଶ କରି ଅରୁଣ ସ୍ତମ୍ବକୁ ମୁଣ୍ଡିଆ ମାରି ସିଂହଦ୍ଵାରରେ ପ୍ରବେଶ କରୁଛନ୍ତି । ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହଚ ଦେଇ ଚନ୍ଦନ ଚକଡ଼ା ଓ ସାତ ପାହାଚ ଦେଇ ଗରୁଡ଼ ସ୍ତମ୍ବ ବାହାର କାଠ ପାଖରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରୁଛନ୍ତି । ପରେ ବେଢ଼ା ପରିକ୍ରମା କରିବା ସହ ଉତର ଦ୍ଵାରରେ ପ୍ରସ୍ଥାନ କରୁଛନ୍ତି । ଏହା ବ୍ୟତିତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡରେ ପ୍ରାୟ ଦୋକାନ ବଜାର ବନ୍ଦ ଯୋଗୁଁ ଭକ୍ତ ମାନେ ବିଭିନ୍ନ ସାମଗ୍ରୀ କିଣିବାରେ ବାଧା ସୃଷ୍ଟି ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବିଭିନ୍ନ ଛକରେ ଓ ସାହି, ଗଳିକନ୍ଦିରେ ପୋଲିସ ମୁତୟନ ହୋଇଛନ୍ତି । ସେହିପରି ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ଅଧିକ ସଂଖ୍ୟକ ଲାଇଫଗାର୍ଡ଼ ମୁତୟନ କରାଯାଇଛି । ଦିଗବାରେଣୀ ଛକ ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ଗାଡ଼ି ମୋଟର ଓ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ ରାସ୍ତା ଜାମ୍ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ନୂଆବର୍ଷ ଫିକା ପଡିଥିଲା । ଏଥର କଟକଣା ନଥିବାରୁ ପର୍ଯ୍ୟଟନ ଋତୁରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।