କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସ୍ଵାମୀ ଲକ୍ଷ୍ମଣ ଦାସ ଅବଧୂତ ଟ୍ରଷ୍ଟ , ଋଷିକେଶ ପକ୍ଷରୁ ସ୍ଥାନୀୟ ଶିଶୁ ଅଧିକାର ସୁରକ୍ଷା ସମିତି ସହଯୋଗରେ ଉତ୍କଳ ବାଳାଶ୍ରମ ଓ ଆଦୃତା ଚିଲଡ୍ରେନସ୍ ହୋମ୍ ର ଅନ୍ତେବାସୀ ଶିଶୁ କ୍ରିକେଟ ଖେଳାଳିମାନଙ୍କ ମଧ୍ୟରେ ଏକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ଅତିଥି ଭାବେ ଭାରତ ସରକାରଙ୍କ ପୂର୍ବତନ ସଚିବ ଶ୍ରୀ ସୁନୀଲ କୁମାର ସାକସେନା, ସ୍ଥାନୀୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଶିକ୍ଷାବିତ ଓ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
ସ୍ଵାମୀ ଲକ୍ଷ୍ମଣ ଦାସ ଜାତି ଓ ଧର୍ମର ଉର୍ଦ୍ଧ୍ୱରେ ଏକ ବୃହତ୍ତର ସମାଜର ସଂରଚନା ପାଇଁ ଋଷିକେଶ ଓ ଗଙ୍ଗୋତ୍ରୀଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ। ତାଙ୍କ ସ୍ମୃତିରେ ପ୍ରତିବର୍ଷ ଋଷିକେଶ ଓ ଗଙ୍ଗୋତ୍ରୀଠାରେ ତାଙ୍କ ଦ୍ଵାରା ସ୍ଥାପିତ ଲକ୍ଷ୍ମଣ କୁଟୀର ପକ୍ଷରୁ ଜଳବାୟୁ ପରିବର୍ତ୍ତନ, ଶାନ୍ତି ଓ ସୈ।ହାର୍ଦ୍ଦ୍ଯ ବିଷୟରେ ଆଲୋଚନା ପାଇଁ ଆନ୍ତର୍ଜାତିକ ଆଲୋଚନା ଚକ୍ର ହୋଇଆସୁଛି। ଶିଶୁ ମାନଙ୍କ ମଧ୍ୟରେ କ୍ରୀଡ଼ା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ଥିଲା ଟ୍ରଷ୍ଟ ପକ୍ଷରୁ ଓଡ଼ିଶାରେ ପ୍ରଥମ କାର୍ଯ୍ୟକ୍ରମ ।
ପ୍ରତିଯୋଗିତାର ଆରମ୍ଭରେ ବିଶିଷ୍ଟ ଫୁଟବଲ ଖେଳାଳୀ ପେଲେ ଙ୍କ ବିୟୋଗରେ ତଥା ବିଶିଷ୍ଟ କ୍ରିକେଟ ଖେଳାଳୀ ଋଷଭ ପନ୍ତ ଙ୍କ ଆଶୁ ଆରୋଗ୍ୟ କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ବାର ଓଭର ବିଶିଷ୍ଟ ଏହି କ୍ରିକେଟ ପ୍ରତିଯୋଗିତାରେ ଉତ୍କଳ ବାଳାଶ୍ରମର ଶିଶୁ ଖେଳାଳିମାନେ ବିଜୟୀ ହୋଇଥିଲେ। ଉଭୟ ଦଳକୁ ପ୍ରଦତ୍ତ ରନିଙ୍ଗ ସିଲ୍ ପାଇଁ ପ୍ରତି ବର୍ଷ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା। ସର୍ବଶେଷରେ ଆଦୃତା ଚିଲଡ୍ରେନସ୍ ହୋମ୍ ର ପରିଚାଳକ କାମେଶ୍ଵର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।