ପୁରୀ, ରାତି ପାହିଲେ ନୂଆ ବରଷ । ବିଦାୟ ନେବ ୨୦୨୨ ବର୍ଷ । ୨୦୨୩ ବର୍ଷର ଆଗମନ ହେବ । ନୂଆ ବରଷରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀକୁ ରାଜ୍ୟ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ପରିବାର ସହିତ ପୁରୀରେ ଛୁଟି କଟାଇବା, ଜଗନ୍ନାଥ ଦର୍ଶନ ସାଙ୍ଗକୁ ସମୁଦ୍ର କୂଳରେ ବୁଲାବୁଲିର ମଜା ନେଉଛନ୍ତି ପର୍ଯ୍ୟଟକ । ବିଶ୍ଵାସ ରହିଛି ନୂଆବର୍ଷରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ବର୍ଷଟି ଭଲରେ କଟିବ । ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନୂଆ ନିଷ୍ପତି, ନୂଆକାର୍ଯ୍ୟ ଓ ନୂଆ ଆଶା ରଖି ପ୍ରଭୁଙ୍କ ନିକଟରେ ସମର୍ପି ଦେବା ପାଇଁ ଶ୍ରୀକ୍ଷେତ୍ରକୁ ରାଜ୍ୟ ତଥା ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଛି । ଶ୍ରଦ୍ଧାଳୁ ମାନେ ଧାଡ଼ିରେ ବ୍ୟାରିକେଡ଼୍ ଦେଇ ଯାଇ ସିଂହଦ୍ଵାରରେ ପ୍ରବେଶ ପୂର୍ବକ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ବେଢ଼ା ପରିକ୍ରମା କରୁଛନ୍ତି । ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଛନ୍ତି । ଉତର ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ରବିବାର ଶାମ୍ବଦଶମୀରେ ପଡ଼ୁଛି ଇଂରାଜୀ ନୂଆବର୍ଷ । ନୂଆବର୍ଷ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମାର୍କେଟ ଛକ ଠାରୁ ଭକ୍ତ ସେଡ଼ ପର୍ଯ୍ୟନ୍ତ ବ୍ୟାରିକେଟ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନର ନିଷ୍ପତି ପ୍ରକାରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ବ୍ୟବସାୟ କରୁଥିବା ଉଠାଦୋକାନି, କ୍ୟାବିନ, ଖଟ, ଛତା ଓ ମାଳିଆ ପସରା ଦୋକାନିମାନେ ଆଜି ଓ ଆସନ୍ତାକାଲି ଦୁଇଦିନ ଦୋକାନ ବନ୍ଦ ରଖିବେ । ଏହା ବ୍ୟତିତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆବର୍ଷ ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ତ୍ଵରାନ୍ୱିତ କରିବା ସହ ସୁଖଦ ଭକ୍ତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ଜୋତାଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ହୋଟେଲ ଲଜିଂ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ସୁସଜ୍ଜତି ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ସେହିପରି ସମୁଦ୍ରକୂଳ ହୋଟେଲ ଗୁଡ଼ିକ ମଧ୍ୟ ରଙ୍ଗୀନ ଆଲୋକମାଳରେ ସଜେଇ ହୋଇଥିବା ବେଳେ କେତେକ ହୋଟେଲରେ ଆଜି ଜିରୋ ନାଇଟ ସେଲିବ୍ରେସନ ବ୍ୟବସ୍ଥା କରାଯାଇଛି । ପୋଲିସ ପକ୍ଷରୁ ଟ୍ରାଫିକ ଜାମ୍ ନହେବା ପାଇଁ ଗାଡ଼ିଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବା ସହ ବାଟରେ ନରଖିବା ପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ରକୂଳେ ଅଧିକ ସଂଖ୍ୟକ ଲାଇଫଗାର୍ଡ଼, ହୋମଗାର୍ଡ଼ ଓ ମହିଳା ପୋଲିସଙ୍କୁ ନିୟୋଜିତ କରାଯାଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କଂଟ୍ରୋଲ୍ ରୁମ୍ ଖୋଲାଯାଇଛି ।
ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ୧୧ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି, ୫୧ ଜଣ ଇନ୍ସପେକ୍ଟର, ୨୫୦ ଅଫିସର, ୯୦୦ କନଷ୍ଟେବଳ, ହୋମଗାର୍ଡ଼ ସହ ୬୦ ରୁ ଉର୍ଦ୍ଧ୍ଵ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେବଳ ଶ୍ରୀମନ୍ଦିର ଭିତରେ ୨୦ ପ୍ଲାଟୁନ୍ ଫୋର୍ସ ଓ ଜଣେ ଅତିରିକ୍ତ ଏସପି ନିୟୋଜିତ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ନୂଆବର୍ଷ ଫିକା ପଡିଥିଲା । ଏଥର କଟକଣା ନଥିବାରୁ ପର୍ଯ୍ୟଟନ ଋତୁରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।