ଭୁବନେଶ୍ୱର, ସମସ୍ତ ପ୍ରକାର ନିୟମ ଇଂରାଜୀ ନବ ବର୍ଷ ପାଳନ କରିବାକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପରାମର୍ଶ ଦେଇଛନ୍ତି । ସେ ଏକ ଭିଡିଓ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି ।
ସେ କହିଛନ୍ତି ଯେ ୨ ବର୍ଷ ପରେ ବିନା କରୋନା କଟକଣାରେ ନୂଆବର୍ଷ ପାଳନ ହେବାକୁ ଯାଉଛି । ତେଣୁ ସମସ୍ତେ ଖୁସି ଅଛନ୍ତି । ସମସ୍ତେ ସେଲିବ୍ରେସନ୍ ମୁଡ୍ରେ ଥିବାରୁ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଭୁଲି ଯାଉଛନ୍ତି । ଯାହାକି ନିଜ ଓ ଅନ୍ୟ ବ୍ୟକ୍ତିଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ସମସ୍ତଙ୍କୁ ଅନୁରୋଧ କରୁଛି, ଦ୍ରୁତ ଗତିରେ ଗାଡ଼ି ଚଲାନ୍ତୁ ନାହିଁ ଓ ଟ୍ରାଫିକ ନିୟମ ପାଳନ କରନ୍ତୁ । ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ ।
ସେ କହିଛନ୍ତି ଯେ – ‘ଯଦି କୌଣସି ପାର୍ଟିକୁ ଯାଉଛନ୍ତି ତା’ହେଲେ ଡ୍ରାଇଭରଙ୍କୁ ସାଙ୍ଗରେ ନିଅନ୍ତୁ । ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍ର କଡ଼ାକଡ଼ି ଚେକିଂ ହେବ । ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିରୋ ନାଇଟ୍ ସେଲିବ୍ରେସନ୍ ଦିନ ଓ ଜାନୁଆରୀ ୧ ତାରିଖ ଦିନ ଟ୍ରାଫିକ ଜାମ୍ ଅଧିକ ରହିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ଜନପଥ, ନନ୍ଦନକାନନ ରୋଡ୍, କଟକ ରୋଡ୍, ରସୁଲଗଡ଼ ଏସବୁ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ଅଧିକ ରହିପାରେ’ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ – ଗାଡ଼ିସବୁ ଠିକ୍ ସ୍ଥାନରେ ପାର୍କିଂ ଓ ଲକ୍ କରନ୍ତୁ । ରାସ୍ତାରେ ଗାଡ଼ି ଛାଡ଼ି ଯାଆନ୍ତୁ ନାହିଁ । ରାସ୍ତା ଉପରେ ନୋ ପାର୍କିଂ ଏରିଆରେ ଗାଡ଼ି ରଖନ୍ତୁ ନାହିଁ ।