ଭୁବନେଶ୍ୱର, କଟକ, ୨୦୨୨ରେ ଭିଜିଲାନ୍ସ ପକ୍ଷରୁ ମୋଟ ୨୮୫ଟି ମାମଲା ରୁଜୁ କରାଯାଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି । ଏହି ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଛି । ଭିଜିଲାନ୍ସ ନିର୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୨୦୨୨ରେ ଓଡ଼ିଶା ଭିଜିଲାନ୍ସରେ ୧୧୮ଟି ଟ୍ରାପ୍ କେସ୍ ପଞ୍ଜିକୃତ ହୋଇଛି । ଏଥିମଧ୍ୟରେ ଲାଞ୍ଚ ନେବା ବେଳେ ୧୨୬ ଜଣ ସରକାରୀ କର୍ମଚାରୀଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ । ସେମାନଙ୍କଠାରୁ ୩୬.୯୪ ଲକ୍ଷ ଟଙ୍କା ଜବତ ହୋଇଛି । ଓଡ଼ିଶା ଭିଜିଲାନ୍ସର ଇତିହାସରେ ଟ୍ରାପ୍ କେସରେ ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି । ଏହା ବାବଦରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି ।
୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୬୦ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି, ଯାହା ବିଗତ ୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ଜଣାଯାଇଛି । ଗତ ୨୦୨୧ରେ ୪୬ ଓ ୨୦୨୦ରେ ୫୩, ୨୦୧୯ରେ ୪୯ ଏବଂ ୨୦୧୮ରେ ୫୨ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।