-
ଜାନୁଆରୀ ୩ରୁ ଶରଧାବାଲି ରେ ୧୦ଦିନ ବ୍ୟାପି ଶ୍ରୀକ୍ଷେତ୍ର ପୁସ୍ତକ ମେଳା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,କରୋନାର ଭୟାବହତା ରୁ ମୁକୁଳିବା ପରେ ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ମିଳିତ ସହଯୋଗରେ ପୁରୀ ଶରଧାବାଲି ରେ ହେଉଛି ୨୭ତମ ପୁସ୍ତକ ମେଳା। ଜାନୁଆରୀ ୩ ରୁ ଆରମ୍ଭ ହେଉଥିବା ଏହି ବହିମେଳା,୧୦ଦିନ ଅର୍ଥାତ୍ ଜାନୁଆରୀ ୧୨ ପର୍ଯ୍ୟନ୍ତ , ପ୍ରତିଦିନ ଦିନ ଦୁଇଟା ରୁ ରାତି ୯ଟା ୩୦ ଯାଏଁ ଖୋଲା ରହିବ।ପ୍ରଥମ ଥର ପାଇଁ,ଜିଲ୍ଲା ପ୍ରଶାସନ ର ସହଯୋଗରେ ହେଉଥିବା ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ସୁଦୂର ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ବ ପ୍ରକାଶକ ଯୋଗ ଦେଉଥିବା ବେଳେ,୧୪୦ରୁ ଉର୍ଦ୍ଧ୍ବ ଷ୍ଟଲ ପଡ଼ିବାର ସମ୍ଭାବନା ରହିଛି।ଏହି ମେଳାରେ ପ୍ରତିଦିନ କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ଆମର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଚଳିତ ବର୍ଷ ଗବେଷଣା କ୍ଷେତ୍ରରେ ଗବେଷକ ସିଦ୍ଧେଶ୍ୱର ମହାପାତ୍ର , ସାହିତ୍ୟ କ୍ଷେତ୍ରରେ ଗାଳ୍ପିକ ପ୍ରସନ୍ନ ମହାନ୍ତି, ପ୍ରକାଶନ କ୍ଷେତ୍ରରେ କନକ ବୁକ୍ସ ଡିଷ୍ଟିବ୍ୟୁଟର ,ନୁଆଦିଲ୍ଲୀଙ୍କୁ ପୁସ୍ତକ ମେଳା ସମ୍ମାନ ଦିଆଯିବା ସହିତ ଓଡ଼ିଶାରେ ଗବେଷଣା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅସୀତ୍ ମହାନ୍ତିଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯିବ।
ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ମେଳା ସଭାପତି ଡ଼ଃ.କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ସଂପାଦକ ଚକ୍ରଧର ମହାପାତ୍ର, ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ରଙ୍କ ସମେତ ମେଳା କମିଟି ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି,ଶରଧାବାଲି ର ସ୍ବଛତା ଓ ପବିତ୍ରତା ରକ୍ଷା କରାଯିବା ସହ କୋଭିଡ୍ ଗାଇଡ ଲାଇନ କୁ ମେଳା କମିଟି କଡାକଡି ପାଳନ କରିଵ ବୋଲି ମତବ୍ୟକ୍ତ କରିଥିଲେ।ଏହି ମେଳାରେ ବିଭିନ୍ନ ଦିନ ରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ,କ୍ରୀଡା ଓ ଯୁବକଲ୍ୟାଣ ମନ୍ତ୍ରୀ, ନିର୍ଦ୍ଦେଶକ ସଂସ୍କୃତି, ପୁରୀ ବିଧାୟକ , ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନ୍ୟୁନ ଏକଲକ୍ଷ ପାଠକ , ଶିକ୍ଷାବିତ୍,ସାହିତ୍ୟିକ ଓ ଛାତ୍ରଛାତ୍ରୀ ଏହି ମେଳାରେ ଯୋଗଦେବେ ବୋଲି ଆଶା କରାଯାଉଛି।ଏହି କାର୍ଯ୍ୟକ୍ରମ ରେ ମେଳା କମିଟି ପକ୍ଷରୁ ରଘୁନାଥ ମହାପାତ୍ର, ପୁଷ୍କର ମହାପାତ୍ର,ଅନାମ ସାହୁ,ଶ୍ରୀକାନ୍ତ ମହାନ୍ତି,ଶ୍ୟାମପ୍ରକାଶ ସେନାପତି, ସୁକାନ୍ତ ପଣ୍ଡା, ସ୍ବାଧୀନ ପଣ୍ଡା , ବିପିନ ଦଳାଇ,ଭବାନୀ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ।