ଭୁବନେଶ୍ୱର – ଗତ ନଭେମ୍ବର ମାସ ୧୩ ତାରିଖ ଦିନ ଠାରୁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ୩୦ ଦିନିଆ ଶୀତକାଳୀନ ଅଧିବେଶନ ଅବଧି ପୂରିବାର ୧୭ ଦିନ ପୂର୍ବରୁ ସମାପ୍ତ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି । ଏ ସମ୍ପର୍କରେ ସନ୍ଧ୍ୟା ୭.୪୨ ମିନିଟ୍ରେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ଏହି ଅଧିବେଶନ ଡିସେମ୍ବର ୧୯ ତାରିଖରେ ସମାପ୍ତ ହେବାର ଥିଲା । ଗୃହ ଆଗରେ ସମ୍ପାଦନା କରିବା ପାଇଁ କୌଣସି ସରକାରୀ କାର୍ଯ୍ୟକ୍ରମ ରହି ନ ଥିବାରୁ ଗୃହର ବୈଠକ କାର୍ଯ୍ୟକୁ ହ୍ରାସ କରାଗଲା ବୋଲି ଶ୍ରୀ ପାତ୍ର କହିଛନ୍ତି । ଏ ସମ୍ପର୍କରେ ବିଧାୟକ ପ୍ରଫୁଲ୍ଲ ସାମଲ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିଧାୟକ ଅମର ପ୍ରସାଦ ଶତପଥୀ ଓ ପ୍ରତାପ ଦେବ ସମର୍ଥନ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହକୁ ବନ୍ଦ କରିବା ପାଇଁ ମୁଖ୍ୟ ସଚେତକଙ୍କୁ ମୋସନ ଆଣିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ତଦନୁଯାୟୀ ଶ୍ରୀମତୀ ପ୍ରମିଳା ମଲିକ ମୋସନ ଆଣିଥିଲେ ଓ ଏହା ମୌଖିକ ଭାବେ ସ୍ୱୀକୃତ ହୋଇଥିଲା । ଅନ୍ୟ ପକ୍ଷରେ ବିଜେପିର ସଦସ୍ୟ ମାନେ ଏହି ବନ୍ଦ ନେଇ କହିବାକୁ ଚାହିଁଥିଲେ । ମାତ୍ର ବାଚସ୍ପତି ସେମାନଙ୍କୁ ସୁଯୋଗ ଦେଇ ନ ଥିଲେ । ଏଥିରେ ଉତ୍ୟକ୍ତ ହୋଇ ସେମାନେ କକ୍ଷତ୍ୟାଗ କରିଥିଲେ ।
୧୩ ଦିନ ପାଇଁ ଏହି ଅଧିବେଶନର ବୈଠକ ଚାଲିଥିଲା । ଉଭୟ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ଏହି ଅଧିବେଶନ ଖୁବ ଗୁରୁତ୍ୱପୂର୍ଣ ଥିଲା । ୧୩ଟି କାର୍ଯ୍ୟ ଦିବସ ମଧ୍ୟରେ ସରକାରୀ ଦିବସ ୧୨ ଦିନ ଥିବା ବେଳେ ଦିନେ ବେସରକାରୀ କାର୍ଯ୍ୟ ଦିବସ ଥିଲା । ଅଧିବେଶନର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଜଣ ଦିବଙ୍ଗତ ସଦସ୍ୟ ଓ ଜଣେ ଶହୀଦ ସୈନିକଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ ଓ ତାହା ଗୃହିତ ହୋଇଥିଲା । ଏଥିରେ ବିରୋଧୀ ଦଳର ନେତା ପ୍ରଦୀପ ନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ସିପିଏମ ବିଧାୟକ ଶୋକ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସମର୍ଥନ କରିଥିଲେ । ଏହା ପରେ ସେମାନଙ୍କର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା ।
ଏହି ଅଧିବେଶନରେ ୧୩୨୬ଟି ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରା ଯାଇଥିବା ବେଳେ ୪୩ଟି ମୌଖିକ ଉତର ହୋଇଥିଲା । ଏହି ପରି ୧୬୩୬ଟି ଅଣତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣକରା ଯାଇଥିବା ବେଳେ ୨୨୬୧ଟି ଅଣତାରକା ଚିହ୍ନିତ ପ୍ରଶ୍ନର ଲିଖିତ ଉତର ଉପସ୍ଥାପନା କରା ଯାଇଥିଲା । ଏହା ବ୍ୟତୀତ ୧୩ଟି ମୁଲତବୀ ପ୍ରସ୍ତାବ ନୋଟିସ ଗ୍ରହଣ କରା ଯାଇଥିଲେ ହେଁ ପାଂଚଟି ବିଷୟରେ ଆଲୋଚନା ହୋଇ ପାରିଥିଲା । ସେଗୁଡିକ ହେଲା ଧାନକିଣାରେ ସରକାରଙ୍କ ବିଫଳତା, ଯାଜପୁର ପିଇଓ ସ୍ମୀତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ବିନାଶ ପଥରେ ପଶ୍ଚିମ ଓଡିଶା ବିକାଶ ପରିଷଦ, ଲଘୁ ଖଣିଜ ସମ୍ପଦ ବେଆଇନ ଖନନ ପାଇଁ ରାଜସ୍ୱ କ୍ଷତି ହେବା ଆଦି ସାମିଲ ରହିଥିଲା । ଏହି ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ମାନେ ଉତର ଦେଇଥିଲେ ହେଁ ଏହା ବିରୋଧୀ ଦଳର ବିଧାୟକମାନଙ୍କୁ ସନ୍ତୁଷ୍ଟ କରି ପାରିନଥିଲା । ଏହାର ପ୍ରତିବାଦରେ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ଅଚଳ ଅବସ୍ଥାକୁ ଏଡ଼ାଇବା ପାଇଁ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବି ରଖିବାକୁ ବାଧ୍ୟ ହୋଇଥିବା ପରିଲକ୍ଷିତ ହୋଇଥିଲା ।
ଅନ୍ୟପକ୍ଷରେ ୩୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆସିଥିବା ଦୃଷ୍ଟିଆକର୍ଷଣ ପ୍ରସ୍ତାବ ଆସିଥିଲେ ହେଁ ତିନିଟି ଉପରେ ଆଲୋଚନା କରାଯାଇଥିଲା । ୪୮ଟି କାଗଜ ଉପସ୍ଥାପନ ଓ ପୁନଃ ଉପସ୍ଥାପନ କରାଯିବା ସହ ପାଂଚଟି ବିବରଣୀ ପ୍ରଦାନ କରାଯାଇଥିଲା । ୧୭ଟି ବାର୍ଷିକ ରିପୋର୍ଟ, ୪ଟି କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ପାଂଚଟି ସରକାରୀ ବିଧେୟକ ପାରିତ ହୋଇଥିଲାବେଳେ ଗୋଟିଏ ସଂକଳ୍ପ ଗୃହୀତ ହୋଇଥିଲା । ୫୩ ନିବେଦନ ଉପସ୍ଥାପନ କରାଯାଇଥିଲା ।
ଆର୍ôଥକ ଦୃଷ୍ଟିକୋଣରୁ ବିଚାର କଲେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ôଥକ ବର୍ଷ ପାଇଁ ୮,୧୨୬କୋଟି ୩୨ଲକ୍ଷ ୪୯ ହଜାର ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ଏବଂ ତତ୍ଜନିତ ବିନିୟୋଗ ବିଲ୍ ଆଗତ କରିଥିଲେ ଏବଂ ତା’ ଉପରେ ହୋଇଥିବା ଆଲୋଚନା ଗୃହର ବାତାବରଣକୁ ବହୁସମୟରେ ସରଗରମ କରିଥିବାର ଦେଖାଯାଇଥିଲା । ଏହାବ୍ୟତୀତ ପାଂଚଟି ସରକାରୀ ବିଭାଗର ଖର୍ଚ୍ଚଦାବି ଆଲୋଚିତ ହୋଇ ପାରିତ ହୋଇଥିଲାବେଳେ ଅବଶିଷ୍ଟ ୩୮ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ଦ୍ୱାରା ଗୃହୀତ ହୋଇଥିଲା । ବିଧିବଦ୍ଧ ଭାବେ ଆଲୋଚନା ହୋଇଥିବା ବିଭାଗଗୁଡ଼ିକ ହେଲା- ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ସ୍ୱରାଷ୍ଟ୍ର, ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧି ଦଳ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ଆଜିର ଶେଷ ଦିବସରେ ଅର୍ଥମନ୍ତ୍ରୀ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ ।
ଅପରପକ୍ଷରେ ବିରୋଧି ଦଳର ହଟ୍ଟଗୋଳ ଯୋଗୁଁ କେତେକ ଦିନ ବୈଠକରେ ପଶ୍ନୋତର, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ଆଲୋଚନା ହୋଇପାରି ନଥିଲା । ବାଚସ୍ପତି, ଉପ ବାଚସ୍ପତି ବାଧ୍ୟହୋଇ ଗୃହକୁ ବିଭିନ୍ନ ସମୟରେ ବାରମ୍ବାର ମୁଲତବି କରିବା ସହ ଗୃହ ପରିଚାଳନା କିପରି ହେବ ସେଥିପାଇଁ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବାର ଦେଖାଯାଇଥିଲା । ୨୬ ତାରିଖରେ ୭୦ତମ ସମ୍ବିଧାନ ଦିବସ ଉପଲକ୍ଷେ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇଥିଲା ।
ତିର୍ତୋଲ ଦଳିତ ଯୁବତୀ ଦୁଷ୍କର୍ମ ଘଟଣାରେ କଂଗ୍ରେସ ଦଳ ନେତା ଶ୍ରୀ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲାବେଳେ ବିରୋଧି ଦଳ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସରକାରୀ ପଇସାରେ ଦୁଇଜଣ ମହିଳାଙ୍କୁ ହାଇଦ୍ରାବାଦ ରୋଡ଼ ସୋ’କୁ ନେଇଥିବା ଅଭିଯୋଗରେ ଇସ୍ତଫା ମାଗିବା ସହ ଗୃହରେ ହଟ୍ଟଗୋଳ କରିଥିଲେ ।
ପୁରୁଷ ବିଶ୍ୱକପ୍ ହକି ପରି ଏକ ମର୍ଯ୍ୟାଦାଜନକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ଯେକୌଣସି ଦେଶ ପକ୍ଷରେ ଗୌରବର ବିଷୟ । ଓଡ଼ିଶା ୨୦୧୮ ନଭେମ୍ବର ବିଶ୍ୱକପ୍ ହକିର ସଫଳ ଆୟୋଜନ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଆନ୍ତର୍ଜାତୀୟ ହକି ଫେଡେରେସନ ୨୦୨୩ ପୁରୁଷ ବିଶ୍ୱ ହକିର ଆୟୋଜନ ଦାୟିତ୍ୱ ପୁନର୍ବାର ଓଡ଼ିଶା ଉପରେ ନ୍ୟସ୍ତ କରିଛି । ଏହା ଆମ ଦେଶ ପାଇଁ ବିଶେଷ କରି ଆମ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୩ ପୁରୁଷ ହକି କପର ସଫଳତା କାମନା କରିବା ପାଇଁ କଂଗ୍ରେସ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଆଣିଥିବା ସଂକଳ୍ପ ଗୃହୀତ ହେବା ଏକ ବିଶେଷ ଘଟଣା ଥିଲା । ଦଳମତ ନିର୍ବିଶେଷରେ ଉଭୟେ ଏ ସଂକଳ୍ପକୁ ସମର୍ଥନ କରିଥିଲେ । ଏଥିରେ ଉଭୟ ଦଳର ସଦସ୍ୟମାନେ ଅଂଶଗ୍ରହଣ କରିବା ସହ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗଠନମୂଳକ ପରାମର୍ଶ ଦେଇଥିଲେ । ଏହାପରେ ଏହା ପାରିତ ହୋଇଥିଲା । ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ସ୍ୱସ୍ତିବାଚକ ଭାଷଣରେ ମୁଖ୍ୟ ବିରୋଧି ବିଜେପି ଦଳ ଅନୁପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ, କଂଗ୍ରେସ ଦଳ ସଭ୍ୟ ନରସିଂହ ମିଶ୍ର ଏଥିରେ ଅଂଶଗ୍ରହଣ କରିଥିଲେ ।