ଧର୍ମଶାଳା,ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅଲ ଓଡିଶା ଲୟର୍ସ ଆସୋସିଏସନର ୫୧ତମ ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଜୟ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ମୋହନ ଦାସ, ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର, ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ ସଭାପତି କାଳିପ୍ରସନ୍ନ ମିଶ୍ର, ମନୋରଂଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ପ୍ରତି ବର୍ଷ ଦୁଇ ଦିନ ଧରି ଏହି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ଥର ଗୋଟିଏ ଦିନ ଏହାକୁ ପାଳନ କରାଯାଉଛି । ଏହି ସମ୍ମିଳନୀରେ ଆଇନଜୀବୀଙ୍କ ଏକତା, ସୁରକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡିଶାରେ ଆଇନଜୀବୀଙ୍କୁ ନେଇ ଘଟିଥିବା ଅପ୍ରିତିକର ପରିସ୍ଥିତିର ଯେଭଳି ପୁନରାବୃତି ନହେବ ଏବଂ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଏହାର କିପରି ସମାଧାନ କରାଯିବ ସେନେଇ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟର କୋଣ ଅନୁକୋଣରୁ ବହୁ ଆଇନଜୀବୀ ଯୋଗଦେଇଥିଲେ ।