ଧର୍ମଶାଳା, ସାରୋଇ ପାହାଡ଼ରେ ଚାଲିଥିବା ଦେଶୀ ମଦ ତିଆରି କାରଖାନାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯିବା ସହ ସେଠାରୁ ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।
ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ପାହାଡ଼ ଉପରେ ଏକ ଦେଶୀ ରନ୍ଧା ମଦ ତିଆରି କାରଖାନାରେ ଚଢ଼ଉ କରାଯାଇ ବିପୁଳ ପରିମାଣର ରନ୍ଧା ମଦ ଜବତ କରାଯିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ସାରୋଇ ପାହାଡ଼ର ନିଛାଟିଆ ସ୍ଥାନରେ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେଲା ଦେଶୀ ମଦ ତିଆରି କରି ବେଆଇନ ଭାବେ ବିକ୍ରୟ କରୁଥିଲେ । ଏ ସମ୍ପର୍କରେ ସୁରାଗ ପାଇ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ସେଠାରେ ଚଢ଼ଉ କରାଯାଇଥିଲା । ସେଠାରେ ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଆଜି ଭୋର ସମୟରେ ସେଠାରେ ଚଢ଼ଉ କରିଥିଲେ । ମୁଖ୍ୟ ଅଭିଯୁକ୍ତ ସାରୋଇ ଗ୍ରାମର ମାଧବାନନ୍ଦ ଦାସ ଓ ତା’ର ଜଣେ ସହଯୋଗୀକୁ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିଥିଲେ । ଏଥିସହ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦ ତିଆରି ପାଇଁ ଆନୁସାଙ୍ଗିକ ସାମଗ୍ରୀ ଡ଼େକଚି, ପ୍ଲାଷ୍ଟିକ ଜାର ଆଦି ଜବତ କରିଛନ୍ତି । ତେବେ ଧର୍ମଶାଳା ଥାନା ଅଂଚଳରେ ପ୍ରଥମ କରି ଏତେ ବଡ଼ ଧରଣର ଦେଶୀ ରନ୍ଧା ମଦ ତିଆରି କାରଖାନା ଠାବ କରାଯାଇଥିବା ଜଣାପଡିଛି ।