ଜୟପୁର,ଶିଶୁ ମୃତ୍ୟୁକୁ ନେଇ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି । ଗତକାଲି ରାତି ୨ଟା ସମୟରେ ଗୋଟେ ଶିଶୁ ପୁତ୍ର ଓ ଆଜି ସକାଳ ୬ଟାରେ ଅନ୍ୟ ଏକ ଶିଶୁ ପୁତ୍ରର ମୁୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଅନ୍ତର୍ଗତ ଧାରଣାହାଣ୍ଡିର ତ୍ରିନାଥ ରନ୍ଧାରିଙ୍କ ପତ୍ନି ପ୍ରତିମା ମାଝୀ ଗର୍ଭବତୀ ଥିଲେ । ଗତ ୨୬ ତାରିଖରେ ପ୍ରତିମା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହୋଇଥିଲେ ଓ ୨୭ ତାରିଖରେ ୨ଟି ଯାଆଁଳା ଶିଶୁ ଜନ୍ମ ଦେଇଥିଲେ । ଦୁଇ ଶିଶୁଙ୍କୁ ଚିକିତ୍ସାଳୟରେ ରଖାଯାଇଥିଲା । ଗତକାଲି ରାତ୍ର ୨ ଟାରେ ଗୋଟିଏ ଶିଶୁ ଓ ସକାଳ ୬ଟାରେ ଅନ୍ୟ ଏକ ଶିଶୁର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ଗୋଟିଏ ଶିଶୁର ମୃତ୍ୟୁର କିଛି ଘଣ୍ଟା ବ୍ୟବଧାନରେ ଅନ୍ୟ ଏକ ଶିଶୁର ମୃତ୍ୟୁକୁ ବାପା ଓ ମା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଦୀର୍ଘ ସମୟ ଧରି ମୃତ ଶବ ପଡି ରହିଥିବା ବେଳେ ଚିକିତ୍ସାର ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଚିକିତ୍ସାଳୟରେ ଡାକ୍ତର ଓ କାଯ୍ୟରତ ନର୍ସଙ୍କ ବ୍ୟବହାର ଖରାପ ଥିବା ବେଳେ କାଯ୍ୟରତ ନର୍ସ ମାନେ ମୋବାଇଲ ଧରି ରହୁଥିବା ବିଷୟ ଗ୍ରାମବାସୀ ପ୍ରକାଶ ଦୋରା, ଚନ୍ଦ୍ର ଭତ୍ରା, ବଡଜିଉନା ସରପଞ୍ଚ ତ୍ରିନାଥ ପୁଜାରି ପ୍ରମୁଖ ଅଭିଯୋଗ କରିଛନ୍ତି । ପରେ ସୂଚନା ପାଇ ଜିଲା ଚିକିତ୍ସାଧିକାରି ଅରୁଣ ପାଢୀ, ମେଡିକାଲ ସୁପରିଟେଣ୍ଡେଣ୍ଟ ରବିନ୍ଦ୍ର ମିଶ୍ର, ଶିଶୁ ରୋଗ ବିଶେଷଜ୍ଞ ଦୁର୍ଗା ପ୍ରସାଦ ପାତ୍ରଙ୍କ ଉପସ୍ଥିତିରେ ମୁୃତ ଶିଶୁ ପୁତ୍ରର ବାପାଙ୍କ ସହ ଆଲୋଚନା ହୋଇଛି । ପରିବାର ଲୋକଙ୍କ ଅଭିଯୋଗର ତଦନ୍ତ କରାଯିବ ଓ ଚିକିତ୍ସାର ଅବହେଳା ପାଇଁ ମୃତ୍ୟୁ ହୋଇନାହିଁ । ସେ ନବଜାତ ଶିଶୁ ମାନଙ୍କର ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ଜିଲା ଚିକିତ୍ସାଧିକାରି ଅରୁଣ ପାଢୀ ସୂଚନା ଦେଇଛନ୍ତି ।