ପଟ୍ଟାମୁଣ୍ଡାଇ, କୁମ୍ଭୀର ଗଣନା ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସ୍ଥିତ ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ୧୦ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ଥିବା ନଦୀ, ନାଳଗୁଡିକରେ କୁମ୍ଭୀରମାନଙ୍କ ଗଣନା କରାଯିବ । ଆସନ୍ତା ଜାନୁଆରୀ ୪ ତାରିଖରୁ ୧୪ ତାରିଖ ଯାଏ କୁମ୍ଭୀରମାନଙ୍କ ଗଣନା କରାଯିବ । ଏଥିପାଇଁ ୧୦ ଦିନ ଧରି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁଆରୀ ୧୫ ତାରିଖ ଠାରୁ ପୁଣି ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ।
ଭିତରକନିକାରେ ୨୦୨୨ ଜାନୁଆରିରେ ହୋଇଥିବା ଗଣନା ଅନୁସାରେ, ୧୭୮୪ ବଉଳା କୁମ୍ଭୀର ଅଛନ୍ତି ।୧୯୭୦ ମସିହା ମଧ୍ୟଭାଗରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀରମାନଙ୍କ ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର, ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡ. ଏଚ୍.ଆର. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ ।