-
କେନ୍ଦ୍ରୀୟ ଅବହେଳା ଯୁକ୍ତିଯୁକ୍ତ ନୁହେଁ, ମୋଦି ସରକାରରେ କ୍ଷଣିକରେ ହେଉଛି ଦାବୀ ପୂରଣ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ସମ୍ବଲପୁର ଶାଲିମାର (କଲିକତା) ମଧ୍ୟରେ ଆଜି ଶୁଭାରମ୍ଭ ହେବାକୁ ଥିବା ନୂତନ ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ପଂକ୍ତି \”ମୋ ଜୀବନ ପଛେ ନର୍କେ ପଡିଥାଉ\” ଜାତି ସଂଘର କାନ୍ଥରେ ଉଲ୍ଲେଖ ରହିଛି । ତାଳଚେର ଦେଇ ସମ୍ବଲପୁର ଶାଲିମାର (କଲିକତା) ମଧ୍ୟରେ ଆଜି ଶୁଭାରମ୍ଭ ହେବାକୁ ଥିବା ନୂତନ ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାମରେ ନାମିତ କରାଯାଉ ବୋଲି ମୁଁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଅନୁରୋଧ କରୁଛି ।
ରାଜନୈତିକ ବିଦ୍ୱେଷ ରଖି ଜାତୀୟ ଦଳ ଓଡ଼ିଶାକୁ ଧ୍ୟାନ ଦେଉନଥିବା କହିବା ପରିବର୍ତ୍ତେ ଲୋକଙ୍କ ବିକାଶଧାରାରେ ସାମିଲ ହେବାର ଆଭିମୁଖ୍ୟ ରଖାଯାଉ । ବୈଶ୍ୱିକ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ଓଡ଼ିଶା ପାଖରେ ସବୁ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଖଣି ନିଲାମରେ ରାଜ୍ୟକୁ ପ୍ରଚୁର ରାଜସ୍ୱ ଆସୁଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ବାର୍ଷିକ ୧୫,୦୦୦ କୋଟି ଟଙ୍କା ଆସୁଛି । ମୋଦି ଓଡିଆଙ୍କ ସହ ଅଛନ୍ତି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ।
ଏହିପରି ଭାବେ ରେଳ ମନ୍ତ୍ରୀଙ୍କ ଦ୍ୱାରା ଖୁବ ଶୀଘ୍ର ଭଦ୍ରକକୁ ଆଉ ଏକ ମେମୁ ଟ୍ରେନ୍ ଚାଲିବାର ଘୋଷଣା ସ୍ୱାଗତଯୋଗ୍ୟ । ଓଡ଼ିଶାରେ ୩୬ଟି ଷ୍ଟେସନର ନବକଳେବର ହେବା ଖୁସିର ବିଷୟ । ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ରେଳ ଯାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ପଦକ୍ଷେପ ନେଉଛନ୍ତି । ଆଜି ଆରମ୍ଭ ହୋଇଥିବା ନୂତନ ଟ୍ରେନ୍ ଚଳାଚଳ ଦ୍ୱାରା ପୁରୀ, ଭଦ୍ରକ, ବାଲେଶ୍ୱର, ରୁପସା ଅଂଚଳ ସମେତ ଅନେକ ଯାତ୍ରୀମାନେ ବିଶେଷ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।