-
ରେଳ ବିକାଶ ଲାଗି ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି: ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର, ପୂର୍ବରୁ ଓଡିଶାକୁ ରେଳବାଇ କ୍ଷେତ୍ରରେ ଅବହେଳା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ହେଲେ ମୋଦୀ ସରକାର ଆସିବା ପରେ ଓଡିଶା ପ୍ରତି ଅବହେଳା ହେଉଥିବା କଥା କହିବାର ସାହସ କାହାରି ନାହିଁ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭୁବନେଶ୍ୱର ରେଳ ଷ୍ଟେସନର ନବୀନୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ମୋଦୀ ସରକାର ଆସିବା ପୂର୍ବରୁ ରାଜ୍ୟକୁ ପ୍ରତି ବର୍ଷ ରେଳବାଇ କ୍ଷେତ୍ରରେ ୭ ଶହ କୋଟି ଟଙ୍କା ମିଳୁଥିଲା । ଏତିକି ଅର୍ଥରେ ୨୦-୩୦ କିମି ରେଳ ଲାଇନ ନିର୍ମାଣ କାମ ହୋଇ ପାରୁ ଥିଲା । ହେଲେ ୨୦୧୪ ମସିହାରେ ମୋଦୀ ସରକାର ଆସିବା ପରେ ଧୀରେ ଧୀରେ ଏହି ଅର୍ଥ ବଢିଲା ଓ ବର୍ତମାନ ପ୍ରତିବର୍ଷ ପାଖାପାଖି ଦଶ ହଜାର କୋଟି ଟଙ୍କା ରେଳବାଇ କ୍ଷେତ୍ରରେ ଓଡିଶାକୁ ମିଳୁଛି । ଏହା ଦ୍ୱାରା ଅଧିକ ମାତ୍ରାରେ ରେଳ ଲାଇନ ନିର୍ମାଣ କାମ ହୋଇ ପାରୁଛି । ସେ କହିଛନ୍ତି ଯେ କେବେ ୭ ଶହ କୋଟି ଟଙ୍କା ମିଳୁଥିବା ବେଳେ ଏହା ଦଶ ହଜାର କୋଟି ଟଙ୍କାରେ ପହଂଚିବା ପରେ କେହି ବି ଓଡିଶାକୁ ଅବହେଳା କରାଯାଉଥିବା କଥା କହି ପାରିବେ ନାହିଁ ।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଇଚ୍ଛା ଶକ୍ତି ଅଛି, ଅର୍ଥ ଅଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଲାଗି ମୋଦୀଙ୍କର ଆନ୍ତରିକ ଇଚ୍ଛା ଅଛି । ରାଜନୀତିର ଉପରକୁ ଉଠି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ମୋଟ ୩୬ଟି ରେଳ ଷ୍ଟେସନକୁ ଆଧୁନିକୀକରଣ କରିବାକୁ ମୋଦୀ ସରକାର ନିଷ୍ପତି ନେଇଛନ୍ତି ।