ମାଲକାନଗିରି, ମାଲକାନଗିରି ସଦର ମହକୁମା ସ୍ଥିତ ନୂଆଗୁଡ଼ା ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟ ଅଚାନକ ତଳେ ପଡ଼ିଯିବାରୁ ସେହି ନିକଟରେ ଚରୁଥିବା ତିନୋଟି ଗାଈ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଘଟଣା ପ୍ରଚାର ହେବା ପରେ ବିଦ୍ୟୁତ୍ ବିଭାଗର ଏସଡିଓ ସୁରଜ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
କିଛି ଦିନ ପୂର୍ବରୁ ଦୁର୍ବୃତ୍ତମାନେ ସେଠାରେ ବସି ଖୁଣ୍ଟଟିକୁ କାଟି ଦେଇଥିଲେ । ଖୁଣ୍ଟ ନିକଟରେ ଦୁଇଟି ପାଣି ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ବିଦ୍ୟୁତ୍ ଖୁଣ୍ଟ ତଳେ ପଡ଼ିଯିବା ପରେ ତୁରନ୍ତ ବିଦ୍ୟୁତ୍ କାଟ କରାଯାଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଲୋକେ କହିଥିଲେ । ଏହି ରାସ୍ତାରେ ଅନେକ ଲୋକ ଯିବା ଆସିବା କରିଥାନ୍ତି, କିନ୍ତୁ ଗତକାଲି ଏହି ଦୁର୍ଘଟଣା ସମୟରେ କେହି ଯାଇନଥିବାରୁ ବର୍ତ୍ତି ଯାଇଥିବା କୁହାଯାଇଥିଲା । ତେବେ କିଏ ଓ କାହିଁକି ଏଭଳି କଲା ସେନେଇ ବିଦ୍ୟୁତ୍ ବିଭାଗ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏଥିସହିତ ମୃତ୍ୟୁବରଣ କରିଥିବା ଗାଈର ମାଲିକଙ୍କୁ କ୍ଷତିପୂରଣ ଦେବା ଦାବୀ ହେଉଛି।