ଯୋଡ଼ା, କେନ୍ଦୁଝର ଜିଲ୍ଲା ହେଉଛି ପ୍ରକୃତିର ଗନ୍ତାଘର । ଏହି ଗନ୍ତାଘରେ ରହିଛି ଅନୁପମ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ହେଲେ ଅନେକ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ବେଳେ ଅନେକ ପର୍ଯ୍ୟଟନସ୍ଥଳୀ ବିକାଶକୁ ଚାହିଁ ବସିଛି । ସେହିପରି ପ୍ରକୃତିର ଅପରୂପ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ ଝିଙ୍କିରା ନାଳ ପଯ୍ୟଟନସ୍ଥଳୀର ମାନ୍ୟତାକୁ ଅପେକ୍ଷା କରି ବସିଛି । ଜିଲାର ସୀମାନ୍ତ ଖଣି ଅଞ୍ଚଳ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅଧିନସ୍ଥ ବଲାଣି ଲୌହ ଖଣିର ଲିଜ କ୍ଷେତ୍ରର ବଲାଣି ପଞ୍ଚାୟତରେ ରହିଛି ଝିଙ୍କିରା ଜଳପ୍ରପାତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ବଲାଣି ଠାରୁ ମାତ୍ର ୪ କିଲୋମିଟର ହୋଇଥିବା ବେଳେ ଖଣି ସହର ବଡ଼ବିଲ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ବଲାଣି ଲୌହ ଖଣିର ଝିଙ୍କିରା ପମ୍ପ ହାଉସ ନିକଟରେ ଏକ ପ୍ରାକୃତିକ ଝରଣା ବାହାରି ୮୦୦ ଫୁଟ ପାହାଡ଼ରୁ ତଳକୁ ଖସିବା ସମୟରେ ପାହାନ୍ତର ସୂର୍ଯ୍ୟ କିରଣରେ ଇନ୍ଦ୍ରଧନୁ ସୃଷ୍ଟି କରିଥାଏ । ସେଥିପାଇଁ ଏହାକୁ ପର୍ଯ୍ୟଟକ ଇନ୍ଦ୍ରଧନୁର ପ୍ରପାତ ମଧ୍ୟ କହିଥାନ୍ତି । ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଝରଣା ପାଦ ଦେଶରେ ବୋହି ଯାଉଥିବା ଝରଣା ଜଳର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ଜାଗାକୁ ପହଞ୍ଚିବାକୁ ବଲାଣି ଖଣିର କଚ୍ଚା ରାସ୍ତା ଦେଇ ଯିବାକୁ ପଡିଥାଏ । ପରେ ଏକ ସଂକୀର୍ଣ୍ଣ ରାସ୍ତା ଦେଇ କୁଳୁକୁଳୁ କରି ବୋହିଯାଉଥିବା ଝରଣା ଓ ଛୋଟଛୋଟ ପାହାଡ଼ ଚଢିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି କିଛି ବାଟ ଉପରକୁ ଗଲେ ଝିଙ୍କିରା ପ୍ରପାତର ପାଦ ଦେଶରେ ପହଞ୍ଚି ହୁଏ । ପ୍ରପାତ ନିକଟକୁ ପହଞ୍ଚିବା ରାସ୍ତାରେ ବୋହୁଥି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ମନୋରମ ଯେ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବିଶେଷ କରି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗର ଅନେକ ପର୍ଯ୍ୟଟକ ବର୍ଷ ତମାମ ଏହି ସ୍ଥାନରେ ପହଂଚି ପର୍ଯ୍ୟଟନର ମଜା ନେଇଥାନ୍ତି । ପୂର୍ବରୁ ତତ୍କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉକ୍ତ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ସେଲ୍ ବଲାଣି ଖଣିର ବରିଷ୍ଠ ଅଧିକାରୀଙ୍କୁ ଏହି ପର୍ଯ୍ୟଟନସ୍ଥଳୀ ର ବିକାଶ ନିମନ୍ତେ କହିଥିଲେ ସୁଦ୍ଧା ଖଣି କତ୍ତୃପକ୍ଷ ନାମକୁ ମାତ୍ର ରାସ୍ତାକୁ ସମତଳ କରିବା ବ୍ୟତୀତ ଅନ୍ୟ କୌଣସି ବିକାଶ କରିନଥିବା ପରିଲକ୍ଷିତ ହୋଇଛି । ତେବେ ଏକ ବିଶିଷ୍ଟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାର ସମସ୍ତ ସମ୍ଭାବ୍ୟ ରହିଥିଲେ ସୁଦ୍ଧା ଜିଲା ପର୍ଯ୍ୟଟନ ବିଭାଗ ଓ ବଲାଣି ଖଣିର ଉଦାସୀନ ମନୋଭାବ ଯୋଗୁଁ ଉକ୍ତ ସ୍ଥାନର ବିକାଶ ଅଟକି ରହିଛି । ଯଦି ଏହାର ବିକାଶ ପର୍ଯ୍ୟଟନ ସ୍ଥଳ ଭାବରେ କରାଯାଏ ତେବେ ସ୍ଥାନୀୟ ଅଞ୍ଚଳର ଅନେକ ବେକାର ଯୁବକ ଯୁବତୀ ରୋଜଗାରକ୍ଷମ ହେବା ସହିତ ପାରିପାର୍ଶ୍ବିକ ବିକାଶରେ ଉନ୍ନତି ଘଟିବାର ସମ୍ଭାବନା ରହିଛି ।
Related Stories
November 22, 2024