ମାଲକାନଗିରି, ଜାତୀୟ ଶିଶୁ ଶ୍ରମିକ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଦରମା ମିଳୁନଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି । ଦରମା ନମିଳିଲେ ମୁଁ ବଞ୍ଚିବି କିପରି ଓ ପରିବାର କିଭଳି ଚଳାଇବି ବୋଲି ପ୍ରଶ୍ନ କରିଛନ୍ତି ପିଅନ ଓ ରାତ୍ରି ଜଗୁଆଳି ରାମଚନ୍ଦ୍ର ଡଙ୍ଗରି ।
୧୯୯୭ ମସିହା ଏପ୍ରିଲ୍ ୨୪ ତାରିଖରୁ ଆଜି ପର୍ଯ୍ୟନ୍ତ ମାଲକାନଗିରିର ଜାତୀୟ ଶିଶୁ ଶ୍ରମିକ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ ରାମଚନ୍ଦ୍ର ଡଙ୍ଗରି କାର୍ଯ୍ୟ କରି ଆସୁଛନ୍ତି । ପ୍ରଥମେ ତାଙ୍କୁ ୫୫୦ ଟଙ୍କା ଦରମା ମିଳୁଥିବା ବେଳେ ୨୦୦୦ ମସିହାରେ ୭୫୦ ଟଙ୍କା ଓ ୨୦୦୫ରେ ୧୫୦୦ ଟଙ୍କା ହୋଇଥିଲା । ୨୦୧୬ ଜାନୁଆରି ୨୮ ତାରିଖରେ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ବି . ନିରଜାଙ୍କ ଆଦେଶ ମୁତାବକ ସହାୟକମାନଙ୍କ ଦରମା ୨୦୦୦ ଟଙ୍କାରୁ ବୃଦ୍ଧି ହୋଇ ୩୫୦୦ କରାଯାଇଥିଲା । ଭାରତ ସରକାରଙ୍କ ଉପସଚିବ ଅନିତା ତ୍ରିପାଠୀ ୨୦୧୬ ମାର୍ଚ୍ଚ ୨୧ ତାରିଖରେ ଏହି ଆଦେଶର ପୁନରାବୃତ୍ତି ମଧ୍ୟ କରିଥିଲେ । କିନ୍ତୁ, ଏହାସତ୍ତ୍ବେ ବି ରାମଚନ୍ଦ୍ରଙ୍କୁ ମାତ୍ର ୨୦୦୦ ଟଙ୍କା ଦରମା ଅଧିକାରୀଙ୍କ ସହମତିରେ ଅନିମିୟତତା ଭାବେ ମିଳୁଛି । ଗତ ୨୫ ବର୍ଷ ଧରି ସେ ନିୟମିତ କାର୍ଯ୍ୟ କରୁଥିଲେ ମଧ୍ୟ ଗତ ୭ ମାସ ହେବ ଦରମା ମିଳିନଥିବା ରାମଚନ୍ଦ୍ର କ୍ଷୋଭର ସହ କହିଛନ୍ତି । ରାମଚନ୍ଦ୍ର ଜଣେ ନିହାତି ଗରିବ ତଥା ଆଦିବାସୀ ବୃଦ୍ଧ ଅଟନ୍ତି । ଏହି ଦରମା ତାଙ୍କ ନିତ୍ୟ ବ୍ୟବହାର ଖର୍ଚ୍ଚରେ ଲାଗୁଛି । କିନ୍ତୁ, ଦରମା ମିଳୁନଥିବାରୁ ୬ ମାସରୁ ଅଧିକ ହେବ ବକେୟା ସୁଝିପାରୁନାହାନ୍ତି ରାମଚନ୍ଦ୍ର। ବର୍ତ୍ତମାନ ବଜାରରେ ତାଙ୍କୁ ଆଉ କେହି ବାକି ଦେଉନଥିବା ସେ କହିଛନ୍ତି ।