ଭୁବନେଶ୍ୱର, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଡିସେମ୍ବର ୨୯କୁ ଦେଶ ବ୍ୟାପୀ ସଂଘୀୟ ବ୍ୟବସ୍ଥା ସୁରକ୍ଷା ଦିବସ ରୂପେ ପାଳନ କରାଯାଇଛି । ଏହି ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କର ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକ ଓ ଅଶୋକନଗର ଅଂଚଳ ପରିକ୍ରମା କରି ମାଷ୍ଟରକ୍ୟାଂଟିନ ଛକଠାରେ ପହଂଚିଥିଲା ।
ସେଠାରେ ଭୁବନେଶ୍ୱର ଜୋନ୍ ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ଗୋ ଓ କ୍ଷୀରୋଦ ସିଂହଦେଓ ଏବଂ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ଉଦ୍ବୋଧନ ଦେଇ କହିଥିଲେ- ବିବିଧତା ମଧ୍ୟରେ ଏକତାର ପ୍ରତୀକ ହେଉଛି ମହାନ୍ ଭାରତବର୍ଷ ଏବଂ ସମ୍ବିଧାନର ପ୍ରଥମ ଧାରା ଅନୁଯାୟୀ ସଂଘୀୟ ବ୍ୟବସ୍ଥା ହେଉଛି ଭାରତୀୟ ରାଷ୍ଟ୍ରର ମୂଳ ପିଣ୍ଡ ବା ଆଧାର । ମାତ୍ର ରାଜ୍ୟପାଳ ପଦବୀକୁ ବ୍ୟବହାର କରି କେନ୍ଦ୍ର ସରକାରରେ ଥିବା ରାଜନୈତିକ ଦଳର ସ୍ୱାର୍ଥରେ ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ କରାଯାଉଛି; ରାଜ୍ୟର ନିର୍ବାଚିତ ସରକାରମାନଙ୍କୁ ଅସ୍ଥିର କରାଯାଉଛି । ଅର୍ଥାତ୍ ସାମ୍ବିଧାନିକ ବ୍ୟବସ୍ଥାର ରକ୍ଷା ପାଇଁ ଯେଉଁ ରାଜ୍ୟପାଳ ପଦବୀ ସୃଷ୍ଟି କରାଯାଇଥିଲା, ସେଇମାନେ ୧ ନମ୍ବର ସମ୍ବିଧାନ ଉଲ୍ଲଙ୍ଘନକାରୀରେ ପରିଣତ ହେଉଛନ୍ତି । ଏଣୁ ସଂଘୀୟ ବ୍ୟବସ୍ଥାର ସୁରକ୍ଷା ସହିତ ରାଜ୍ୟପାଳ ପଦବୀର ଉଚ୍ଛେଦ ପାଇଁ ସିପିଆଇ ଦାବି କରିଛି ।