-
ଗୀତାପ୍ରେମ ବଢ଼ିଲେ, ରାଷ୍ଟ୍ରପ୍ରେମ ବଢ଼ିବ
ପୁରୀ ,ଗୀତା ଓ ଗାଈ ଆମ ସଂସ୍କୃତିର ଦୁଇ ଆଧାରଶୀଳା । ଶ୍ରୀମଦ୍ଭଗବଦ୍ଗୀତା ପରି କଲ୍ୟାଣକାରୀ ତଥା ଉପଯୋଗୀ ଗ୍ରନ୍ଥ ଏ ସଂସାରରେ ନାହିଁ । ଗୀତା ସ୍ଵାଧ୍ୟାୟ ନିରନ୍ତର କରିଚାଲିଲେ ନିତ୍ୟ ନୂତନ ଭାବ ଉତ୍ପନ୍ନ ହୁଏ। ଗୀତା ଆଧାରରେ ଜୀବନ ଜୀଇଁଲେ ରାଷ୍ଟ୍ରପ୍ରେମ ବଢ଼ିବ ତଥା ପିଲାମାନେ ସୁନାଗରିକ ହୋଇପାରିବେ ବୋଲି ‘ ଗୀତା ସୁଗୀତା କର୍ଭବ୍ୟା’ ପ୍ରତିଯୋଗିତା ଉଦ୍ଯାପନ ସଭାରେ ଅତିଥିମାନେ କହିଥିଲେ। ଏହି ଅବସରରେ ପିତାମାତା ଓ ଶିକ୍ଷକମାନେ ପିଲାମାନଙ୍କୁ ଏଇପଥରେ ଆଗେଇନେବାରେ ସାହାଯ୍ୟ କରିବାକୁ ଆହ୍ବାନ କରିଥିଲେ ଶ୍ରୀଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ। ସୋମବାର ପୁରୀର ବାଲିଘାଇ ସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗୀତାର ଉଦ୍ଘାଟନୀ ସଭାରେ ଉପସ୍ଥିତ ବିହାରର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧୀପତି ତଥା ଉଜ୍ଜୟନୀ ସ୍ଥିତ ସାନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ଉପସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ମଙ୍ଗଳବାର ଉଦ୍ଯାପନୀ ସଭାରେ ଶ୍ରୀକ୍ଷେତ୍ର ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚରେ ଅନ୍ତର୍ରାଷ୍ଟ୍ରୀୟ କ୍ରିୟାଯୋଗ ସଂସ୍ଥାନର ଆଧ୍ୟାତ୍ମିକ ପ୍ରମୁଖ ପରମପୂଜ୍ୟ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସମେତ ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ଥ ସ୍ଵାମୀ ସୁଭାନନ୍ଦ ଗିରି, ସ୍ଵାମୀ ନିତ୍ୟପ୍ରେମାନନ୍ଦ ଗିରି, ସ୍ଵାମୀ ପରିପୂର୍ଣ୍ଣାନନ୍ଦ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।
୨୦୧୭ ମସିହାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା “ ଗୀତା ସୁଗୀତା କର୍ଭବ୍ୟା” ୨୦୧୯ ମସିହା ପର୍ଯ୍ୟନ୍ତ ନିରନ୍ତର ୩ବର୍ଷ ଚାଲିଥିଲା। କରୋନା ମହାମାରୀ ପରେ ପୁନଃ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଚଳିତ ବର୍ଷ ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ସମଗ୍ର ଓଡ଼ିଶାରୁ ମୋଟ ୬୨୧୩ ଜଣ ପ୍ରତିଯୋଗୀ ‘ଗୀତା ସୁଗୀତା କର୍ଭବ୍ୟା’ କାର୍ଯ୍ୟକ୍ରମରେ ଭାଗନେଇଥିଲେ। ୩୦୨ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରରେ ବିଜୟୀ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାପାଇଁ ଯୋଗ୍ୟବିବେଚିତ ହୋଇଥିଲେ। କିନ୍ତୁ ୨୩୨ ଜଣ ଏଥିରେ ଅଂଶ ଗ୍ରହଣ କରିଥିଲେ। ମୟୁରଭଞ୍ଜ ବଳଭଦ୍ରପୁରର ‘ସରୋଜିନୀ ଏକାଡ଼େମୀ’ର ୪ର୍ଥ ଶ୍ରେଣୀ ପରିରୂପା ମହାନ୍ତ ଓ ସୋନ୍ପୁର କଲେଜର +୩ ୨ୟ ବର୍ଷ ଛାତ୍ର ବିଶ୍ବନାଥ ମହାକୁଡ଼ ସମ୍ପୂର୍ଣ୍ଣ ଗୀତା ସ୍ମରଣ ରଖି ସୁନ୍ଦର ସ୍ଵରରେ ଆବୃତ୍ତି କରି ଗଜପତିଙ୍କ ହାତରୁ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ପିଲାମାନଙ୍କର ସ୍ମରଣ, ଉଚ୍ଚାରଣ, କଣ୍ଠସ୍ଵର, ନିରନ୍ତରତା, ଭକ୍ତିଭାବ, ଆତ୍ମବିଶ୍ଵାସ, ପୋଷାକ ପରିଧାନ ଆଦିକୁ ଆଧାର କରି କରାଯାଇଥିଲା ।
‘କ’ ବିଭାଗରେ ଡିଏଭି ପିଏସ୍ ଅନୁଗୁଳ ସ୍କୁଲର ୪ର୍ଥ ଶ୍ରେଣୀର ସବ୍ୟସାଚୀ ହୋତା ପ୍ରଥମ, ରାଉରକେଲାର ଚିନ୍ମୟ ବିଦ୍ୟାଳୟର ୩ୟ ଶ୍ରେଣୀର ସିଦ୍ଧିଶ୍ରୀ ମିଶ୍ର ଦ୍ଵିତୀୟ, କେନ୍ଦୁଝରର କେ.ଭି. ଆନନ୍ଦପୁର ସ୍କୁଲର ୪ର୍ଥ ଶ୍ରେଣୀର ଶ୍ରୁତିସୁଧା ଶତପଥୀ ତୃତୀୟ ସ୍ଥାନ ଅଧୂକାର କରିଛନ୍ତି । ‘ଖ’ ବିଭାଗରେ ନୟାଗଡ଼ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୭ମ ଶ୍ରେଣୀର ଅୟସ୍କାନ୍ତ ମହାପାତ୍ର,ଏସ୍ଏସ୍ଭିଏମ୍ ଜଗତ୍ସିଂହପୁରର ୮ମ ଶ୍ରେଣୀର ଅନନ୍ୟା ଶୁଭଦର୍ଶିନୀ, ବରଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୭ମ ଶ୍ରେଣୀର ସ୍ଵରିତ
ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ‘ଗ’ ବିଭାଗରେ ନୟାଗଡ଼ ମହର୍ଷି ବିଦ୍ୟାମନ୍ଦିରର ୯ମ ଶ୍ରେଣୀର ସ୍ଵୟଂପ୍ରଜ୍ଞା ସାହୁ ପ୍ରଥମ, କଳାହାଣ୍ଡି ଜୟପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଚିନ୍ମୟୀ ମିଶ୍ର, ବରଗଡ଼ର ଦେଓଗାଁ ହାଇସ୍କୁଲର ୯ମ ଶ୍ରେଣୀର ଲିଲି ଠାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ‘ଘ’ ବିଭାଗରେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିର ଶ୍ରୁତିବିଦ୍ୟା ତ୍ରିପାଠୀ ପ୍ରଥମ, ଭୁବନେଶ୍ଵର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ରଶ୍ମିତାପ୍ରଭା ଦାଶ ଦ୍ଵିତୀୟ, ବରଗଡ଼ ପଞ୍ଚାୟତ ଡିଗ୍ରୀ କଲେଜର ମୌସୁମୀ ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମାସକୁ ୫୦୦ ଟଙ୍କା ଲେଖାଏଁ ବର୍ଷକ ପାଇଁ ୬୦୦୦ ଟଙ୍କା ପ୍ରଦାନ କରାଯିବ। ୨ୟ ପୁରସ୍କାର ୪୦୦ ଟଙ୍କା ଲେଖାଏଁ ବର୍ଷକ ନିମନ୍ତେ ୪୮୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୩୦୦ ଟଙ୍କା ଲେଖାଏଁ ବର୍ଷକ ପାଇଁ ୩୬୦୦ ଟଙ୍କା ପ୍ରଦାନ କରାଯିବ। ୬୦ ଜଣଙ୍କୁ ସାତ୍ତ୍ବନାମୂଳକ ପୁରସ୍କାର ବାବଦରେ ୭୨୦୦୦ ଟଙ୍କା ପ୍ରଦାନ କରାଯିବ। ଏହାଛଡ଼ା ସିଲ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଆଶ୍ରମର ଭକ୍ତଶିଷ୍ୟ, ବ୍ରହ୍ମଋରୀ, ସନ୍ନ୍ୟାସୀଙ୍କ ସମେତ ଗୀତାପ୍ରେମୀ ସଜନବ୍ୟକ୍ତିଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ୨୩ ଜଣ ଶିକ୍ଷକ ତଥା ଅଧ୍ୟାପକ ମାନେ ପରିଚାଳନା ଦାୟିତ୍ୱ ତୁଲାଇଥିଲେ।