ମାଲକାନଗିରି, ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ . ୮ ଠାରେ ୨୦ ଲକ୍ଷ ଟଙ୍କାର ଉନ୍ନତିମୂଳକ ରାସ୍ତା କାର୍ଯ୍ୟ ( ମେନ୍ କେନାଲ ଠାରୁ ପାକନାଗୁଡା ଫେବର ରାସ୍ତା ) ଅନିୟମିତତା ହୋଇଥିବା ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ପୌର ପରିଷଦ ମାଲକାନଗିରି ୱାର୍ଡ଼ ନଂ . ୮ରେ ମୁଖ୍ୟ କେନାଲ ଠାରୁ ପାକନାଗୁଡା ପର୍ଯ୍ୟନ୍ତ ୪୧୯ ମିଟର ଫେବର ରାସ୍ତା ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା ଏବଂ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଥିଲା । କିନ୍ତୁ, ବର୍ତ୍ତମାନ ସୁଦ୍ଧା ୧୬୮ ମିଟର କାର୍ଯ୍ୟ ସମାପନ ହୋଇଛି । ବଳକା ୨୫୮ ମିଟର କାମ କରାଯାଇନାହିଁ । ବର୍ତ୍ତମାନ ଦେଖାଯାଉଛି ଯେ, କାର୍ଯ୍ୟ ସମାପନ ହୋଇଥିବା ୧୬୮ ମିଟର ଅତି ନିମ୍ନମାନର ଫେବର ଦ୍ବାରା କରାଯାଇଥିବାରୁ ସମ୍ପୂର୍ଣ୍ଣ ରାସ୍ତା ଦବି ଯାଇ ଫେବର ଭାଙ୍ଗି ଗଲାଣି ।
ପ୍ରକାଶ ଥାଉ କି, ନେସନାଲ କାଉନସିଲ ଫର ସିମେଣ୍ଟ ଏଣ୍ଡ ବିଲଡିଙ୍ଗ ମେଟେରିଆଲ, ଭୁବନେଶ୍ବର ଟେଷ୍ଟିଙ୍ଗ ଲାବରେଟରି ଦ୍ବାରା ମଞ୍ଜୁର କରାଯାଇଥିବା ଇଟା ଏହି ରାସ୍ତା କାମରେ ବ୍ୟବହାର କରାଯିବା କଥା, କିନ୍ତୁ ସେହି ନିୟମକୁ ଉପେକ୍ଷା କରି ସ୍ଥାନୀୟ ଫେବର ଇଟା ଦ୍ବାରା କରାଯାଇଥିବାରୁ ୨୦ ଦିନ ମଧ୍ୟରେ ସମ୍ପୂର୍ଣ ରାସ୍ତାଟି ନଷ୍ଟ ହୋଇଯାଇଛି । ତେଣୁ ଉକ୍ତ ରାସ୍ତାକୁ ମଞ୍ଜୁର ପ୍ରାପ୍ତ ଫେବର ବ୍ୟବହାର କରି ପୁନର୍ବାର ନିର୍ମାଣ କରାଯାଉ । ତତ୍ ସଙ୍ଗେ ସଙ୍ଗେ ବଳକା ୨୫୮ ମିଟର ରାସ୍ତା ମଞ୍ଜୁର ହୋଇଥିବା ଫେବର ଦ୍ବାରା ତୁରନ୍ତ ନିର୍ମାଣ କରାଯାଉ । ନଚେତ୍ ଆଗାମୀ ୧୦ ଦିନ ମଧ୍ୟରେ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ସେ କହିଛନ୍ତି।