ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅନ୍ତର୍ଗତ ଘାଘୂର୍ଲି ପେକ୍ସ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଚାଷୀ ଖୁସିରାମ୍ ମହାକୁଡ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପେକ୍ସ୍ ସମ୍ପାଦକ କୁଆଡେ ଖୁସିରାମଙ୍କୁ ୨/୩ ଚାପୁଡ଼ା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଖବର ପାଇ ଅତିରିକ୍ତ ତହସିଲଦାର ବେଲପଡ଼ା ଏବଂ ଏସିଏସଓ ପାଟଣାଗଡ଼ ଘାଘୁର୍ଲି ପେକ୍ସକୁ ଯାଇ ତଦନ୍ତ କରିଥିଲେ । ଉପରୋକ୍ତ ଘଟଣାକୁ ନେଇ ଚାଷୀ ବେଲପଡ଼ା ଥାନାରେ ଗତ ତା ୨୫.୧୨.୨୦୨୨ ରିଖ ପେକ୍ସ୍ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।
ସୂଚନା ଅନୁଯାୟୀ, ଖୁସିରାମ୍ ଘଘୁର୍ଲି ପେକ୍ସ୍ ଅଧିନସ୍ଥ ଜଣେ କ୍ଷୁଦ୍ର ଚାଷୀ ଅଟନ୍ତି । ତାଙ୍କର ଅମଳ ଧାନ ବିକ୍ରି କରିବା ପାଇଁ ପାଇଥିବା ଟୋକନ୍ ଅନୁସାରେ ସେ ୧୯.୧୨.୨୦୨୨ ରେ ପେକ୍ସ୍ କୁ ଧାନ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା ଏବଂ ୭ ଦିନ ମଧ୍ୟରେ ଧାନ ନିଶ୍ଚିତ ଭାବରେ ମଣ୍ଡିକୁ ଆଣିବାର ସୁଯୋଗ ମିଳିଥିଲା । ସେହି ଅନୁସାରେ ସେ ପେକ୍ସ୍ ସମ୍ପାଦକଙ୍କୁ ପଚାରି ତା୨୪.୧୨.୨୦୨୨ ରିଖରେ ୧୦୯ ବସ୍ତା ଧାନ ନେଇ ପହଞ୍ଚିଥିଲେ । ଧାନ ଆଣିବା ଦେଖି ମହେଶ ରାଗିଯାଇ ଖୁସିରାମଙ୍କୁ ୨/୩ ଚାପୁଡ଼ା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଖୁସିରାମ ଲିଖିତ ଅଭିଯୋଗ କରିଛନ୍ତି । ରାଗି ଚାପୁଡ଼ା ମାରିବାର କାରଣ, ସମ୍ପାଦକ ମହେଶ କୁଆଡେ ଚାଷୀ ଖୁସିରାମଙ୍କୁ ଧାନ ଆଣିବା ପୂର୍ବରୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ୨୦୦୦ ଟଙ୍କା ନ ଦେଇ ଧାନ ଧରି ସିଧାସଳଖ ମଣ୍ଡିକୁ ଆସିଥିବାରୁ ସମ୍ପାଦକ ରାଗିଯାଇ ଚାପୁଡ଼ା ମାରିଥିବା ଖୁସିରାମ ଲିଖିତ ଅଭିଯୋଗ କରିଛନ୍ତି । ପେକ୍ସ୍ ସମ୍ପାଦକଙ୍କ ଏଭଳି ବ୍ୟବହାରରେ ଚାଷୀ ଅତିଷ୍ଠ ହୋଇଥିଲେ । ଏଭଳି ଦୁର୍ନୀତି ଯୋଗୁଁ ବିଗତ ଦିନରେ ପେକ୍ସ୍ ସମ୍ପାଦକ ମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ନଜିର୍ ରହିଛି । ତେବେ ଉପରୋକ୍ତ ସମ୍ବେଦନଶୀଳ ଘଟଣା ପାଇଁ ଚାଷୀ ଖୁସିରାମ୍ ସମ୍ପାଦକ ମହେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଡିଆରସିଏସଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।