
କନ୍ଧମାଳ,କନ୍ଧମାଳ ଜିଲାରେ ଚେସ ଖେଳକୁ ପ୍ରୋତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେଓ ହାଇସ୍କୁଲ ପରିସରରେ ମାଗଣା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଘାଟିତ ହୋଇଛି। ରାଜ୍ୟର ଜଣାଶୁଣା ଅଭିଜ୍ଞ କୋଚ ତାଲିମଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରୁଛନ୍ତି। ବିଶେଷ କରି ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ପିଇଟି ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି। ଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ। ପରେ ଚେସ ଏସୋସିଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲରେ ଚେସ ଖେଳକୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଜିଲ୍ଲା ଚେସ ଏସୋସିଏସନ ସଭାପତି କେ. ଜ୍ଞାନ ରଞ୍ଜନ ଦୋରା, ପରାମର୍ଶଦାତା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ତଥା ଚେସ ଏସୋସିଏସନ ସଂଗଠନ ସମ୍ପାଦକ ସୁନୀଲ ପଟନାୟକ, ଫିଜିକାଲ ଟ୍ରେନିଂ ଇନ ଷ୍ଟ୍ରକ୍ଟର ରଙ୍କନିଧି ବେହେରା, ସଦସ୍ୟ ତଥା ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଯୋଗଦେଇ ଚେସ ଖେଳିବା ଦ୍ଵାରା ଖେଳାଳି ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା କରିଥାଏ ବୋଲି କହିଥିଲେ । କନ୍ଧମାଳ ଜିଲ୍ଲାରେ ଚେସ ଖେଳର ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ଚେସ ଏସୋ ସିଏସନର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି କହିଥିଲେ।