ଭୁୁବନେଶ୍ୱର, ରାୟଗଡାରେ ରୁଷୀୟ ସାଂସଦ ପାଭେଲ ଆେଂଟାଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଂଚ(ସିବି-ସିଆଇଡି) । କେଉଁ ସ୍ଥିତିରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ହେଲା ସେ ନେଇ ତଦନ୍ତ କରାଯିବ । ସିଆଇଡିକୁ ସ୍ଥାନୀୟ ପୋଲିସ ସହଯୋଗ କରିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।
ଡିଜି ସୁନୀଲ ବଂଶଲ କହିଛନ୍ତି, ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୂରା ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ରହିଛନ୍ତି । ରାୟଗଡ଼ାକୁ ବୁଲିବା ନିମନ୍ତେ ଆସିଥିବା ୪ ରୁଷୀୟ ପର୍ଯ୍ୟଟକଙ୍କ ଭିତରୁ ଜଣଙ୍କ ମୃତ୍ୟୁ ହୃଦ୍ଘାତରୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ତେବେ ପୂରା ରିପୋର୍ଟ ମିଳିବା ପରେ ପ୍ରକୃତ କଥା ଜଣାପଡ଼ିବ । ଗୋଟିଏ ହୋଟେଲରେ ରହିବା ପରେ ୨୨ ତାରିଖରେ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ଦୁଇଦିନ ପରେ ଅର୍ଥାତ୍ ଗତ ୨୪ ତାରିଖରେ ତାଙ୍କ ସାଙ୍ଗରେ ଥିବା ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିଲା । ପାଭେଲ ଆତ୍ମହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ଏହି ଦୁଇଟି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ କରାଯିବା ପରେ କୋଲକାତା ସ୍ଥିତ ରୁଷ ଦୂତାବାସର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି । ରୁଷ ଅଫିସିଆଲଙ୍କୁ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସମେତ ପାସ୍ପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ହସ୍ତାନ୍ତର କରାଯାଉଛି । ତେବେ ହଠାତ୍ ଦୁଇଟି ମୃତ୍ୟୁ ଘଟଣା କାହିଁକି ଘଟିଲା ଓ ଏହା ପଛର ରହସ୍ୟ କ’ଣ ରହିଛି ସେ ନେଇ ଜଣାପଡ଼ିନି । ମାମଲାର ତଦନ୍ତରେ ହୋଟେଲରେ ଥିବା ଅନ୍ୟ ଦୁଇ ରୁଷ ପର୍ଯ୍ୟଟକଙ୍କ ସହଯୋଗ ମଧ୍ୟ ନିଆଯାଉଛି ।
ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ହୋଟେଲ୍ ରେ ପହଂଚି ଛାନ୍ଭିନ୍ କରିଛନ୍ତି ଦକ୍ଷିଣପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ ଓ ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମା ।
ସୂଚନା ଥାଉକି, ରାୟଗଡ଼ାରେ ମୃତ୍ୟୁବରଣ କରିଥିବା ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ ବୋଲି ଜଣାଯାଇଛି । ପାଭେଲ ନିଜ ଜନ୍ମଦିନ ପାଳନ ପାଇଁ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ । ସେମାନେ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଂଚି ଭୁବନେଶ୍ୱରରୁ ରାୟଗଡ଼ାରେ ଡିସେମ୍ବର ୨୧ ତାରିଖରେ ପହଂଚିଥିଲେ । ପରବର୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ । ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ । ଆଉ ଏକ ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭେଲ । କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର । ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭେଲଙ୍କ ମୃତଦେହ ମିଳିଥିଲା ।