-
ଶିଶୁମାନଙ୍କୁ ପଠନମନସ୍କ ଓ ବିଦ୍ୟାଳୟ ପାଠାଗାର କ୍ରିୟାଶୀଳ ଉପରେ ଗୁରୁତ୍ବାରୋପ
ପୁରୀ ,ବିଦ୍ୟାଳୟ ପାଠାଗାର ଗୁଡ଼ିକୁ କ୍ରିୟାଶୀଳ କରି ଶିଶୁମାନଙ୍କୁ ପଠନମସ୍କ କରାଇବା ସହିତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଶିଶୁସାହିତ୍ୟକୁ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ଭାବେ ପ୍ରଚଳନ କରାଯିବାକୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଶିଶୁସାହିତ୍ୟିକ ସମ୍ମିଳନୀରେ ଗୁରୁତ୍ବ ଆରୋପ କରାଯାଇଛି ।ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ୩୦ତମ ରାଜ୍ୟସ୍ତରୀୟ ଶିଶୁସାହିତ୍ୟିକ ସମ୍ମିଳନୀ ହୋଇଥିଲା । ସମାରୋହକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଭାଷାବିତ୍ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ।
ସଂସଦର ସଭାପତି ପ୍ରାଣକୃଷ୍ଣ ମାହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରାକ୍ତନ ଜି.ଏସ୍.ଟି. ମୁଖ୍ୟ କମିଶନର ପିୟୂଷ ପଟ୍ଟନାୟକ ମୁଖ୍ୟଅତିଥି,ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମୁଖ୍ୟବକ୍ତା, ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ । ଡକ୍ଟର ହେମନ୍ତ କୁମାର ଛୋଟରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଭାତ ଚନ୍ଦ୍ର ରଥ । ସଂସଦର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିଶୁସାହିତ୍ୟ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦିବଂଗତ ଶିଶୁସାହିତ୍ୟିକ ପଦ୍ମଚରଣ ଖୁଣ୍ଟିଆ (ପୁରୀ), ଚିତ୍ତରଂଜନ ପଟ୍ଟନାୟକ (କେନ୍ଦୁଝର), କୁମୁଦଲତା ମହାନ୍ତି (ଭୁବନେଶ୍ଵର)ଙ୍କ ସ୍ମୃତିରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସଂସଦର ମୁଖପତ୍ର “ସ୍ମରଣିକା” , ରବୀନ୍ଦ୍ର କୁମାର ପ୍ରଧାନଙ୍କ ‘ଉତ୍କଳର ବରପୁତ୍ର’ ଏବଂ ରାଧାମାଧବ ରଥଙ୍କ କିଶୋର ଉପନ୍ୟାସ ‘ଚଂଚଳା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।
ସମାରୋହରେ ବିଶିଷ୍ଟ ଶିଶୁସାହିତ୍ୟିକ ରବୀନ୍ଦ୍ର କୁମାର ପ୍ରଧାନ (ବାଣପୁର), ପରେଶ କୁମାର ପଟ୍ଟନାୟକ(ଭୁବନେଶ୍ଵର), ବୃନ୍ଦାବନ କୁମ୍ଭାର (ବଲାଙ୍ଗୀର), ତାରାପ୍ରସାଦ ଜେନ(ରଣପୁର), ବିଜୟ କୁମାର ଛାଟୋଇ(ସତ୍ୟବାଦୀ), ରାଧାମାଧବ ରଥ (ପୁରୀ) ଏବଂ ଲକ୍ଷ୍ମୀପ୍ରିୟା ଦାଶ (ଡେଲାଙ୍ଗ)ଙ୍କୁ ଶିଶୁସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ଦାଶ । ଲକ୍ଷ୍ମୀଧର ମାଝି, କବିତା ମିଶ୍ର, ମିନତି ପଟ୍ଟନାୟକ, ଦୁର୍ଗାବତୀ ପ୍ରଧାନ, ଶ୍ୟାମପ୍ରକାଶ ସେନାପତି, ସତ୍ୟନାରାୟଣ ମିଶ୍ର, ରାଇକିଶୋର ମହାନ୍ତି, ଜଳନ୍ଧର ବିଶୋଇ, ଜ୍ୟୋତିପ୍ରକାଶ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର । ଏହି ସମ୍ମିଳନୀରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, କଟକ ଜିଲ୍ଲାର ବହୁ ଶିଶୁସାହିତ୍ୟିକ ଯୋଗ ଦେଇଥିଲେ ।