ବାରିପଦା, ପାନୀୟ ଜଳ ଯୋଗାଣ ଦାବିରେ ଆଜି ଗରା, ବାଲଟି ଧରି ଅଭିନବ ଢ଼ଙ୍ଗରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଉଦଳା- ବାରିପଦା ରାଜ୍ୟ ରାଜପଥର ପାଟପୁର ଛକରେ ରାସ୍ତା ଅବରୋଧ କରାଯାଇଛି । ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ପ୍ରାୟ ଦୁଇ ଘଂଟା ଧରି ସେଠାରେ ରାସ୍ତାରୋକ କରାଯାଇଛି । ରାସ୍ତାରୋକରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ସାମିଲ୍ ହୋଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର୍ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଲୋକେ ଆଜକୁ ଦୀର୍ଘ ଦିନ ହେଲା ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି । ୬୦ରୁ ଅଧିକ ପରିବାର ବସବାସ କରୁଥିବା ଏହି ଗ୍ରାମରେ ଗୋଟିଏ ହେଲେ ନଳକୂପ ନାହିଁ । ପାଣି ପାଇଁ ଗ୍ରାମବାସୀ ମାନେ ଗ୍ରାମ ବାହାରେ ରାଜ୍ୟ ରାଜପଥ ନିକଟରେ ଥିବା ଏକ ନଳକୂପ ଉପରେ ନିର୍ଭର କରନ୍ତି । ଏନେଇ ବାରମ୍ବାର ଦାବି ସତ୍ୱେ କୌଣସି ସୁଫଳ ମିଳିପାରିନି । ତେଣୁ ବାଧ୍ୟ ହୋଇ ଶେଷରେ ପାଣି ପାଇଁ ଏଭଳି ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।