-
ସ୍ଵଚ୍ଛ ଓ ନିର୍ମଳ ଶାସନ ପାଇଁ ଓଡ଼ିଶାବାସୀଙ୍କ ବିଶ୍ଵାସଭାଜନ ହୋଇଛି ଦଳ, ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପାଖରେ ମୁଁ ଋଣୀ – ମୁଖ୍ୟମନ୍ତ୍ରୀ
ପୁରୀ,ବିଜୁ ଜନତା ଦଳ (ବିଜେଡ଼ି) ର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆ ଇନଡୋର ଷ୍ଟାଡ଼ିୟମରେ ରାଜ୍ୟସ୍ତରିୟ ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେବା ସହ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସ୍ଵାଭିମାନ ପାଇଁ କାର୍ଯ୍ୟ କରୁଛି ବିଜେଡ଼ି । ସ୍ଵଚ୍ଛ ଓ ନିର୍ମଳ ଶାସନ ପାଇଁ ଓଡ଼ିଶାବାସୀଙ୍କ ବିଶ୍ଵାସଭାଜନ ହୋଇଛି ଦଳ । ଏଣୁ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପାଖରେ ମୁଁ ଋଣୀ । ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଉଛି ବିଜେଡ଼ି । ବିଜେଡ଼ି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ଵପୂର୍ଣ୍ଣ ।
ଏହି ଅବସରରେ ନିଜ ପିତା ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ସେ କହିଥିଲେ ଯେ, ବିଜୁ ବାବୁ ହେଉଛନ୍ତି ଜଣେ ମହାନ୍ ଜନ ନାୟକ । ତାଙ୍କର ପ୍ରତିଟି ରକ୍ତ ବିନ୍ଦୁରେ ଥିଲା ଓଡ଼ିଶାର ବିକାଶ ଓ ସ୍ଵାଭିମାନ । ବିଜୁ ବାବୁଙ୍କ ରାସ୍ତାରେ ଆମେ ଆଗକୁ ବଢିବା । ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ନବୀନ କହିଥିଲେ ଯେ, ସବୁବେଳେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ । ଚାଷୀ, ଆଦିବାସୀ ଓ ମା ମାନଙ୍କ ପାଇଁ ଭଲ କାମ କରନ୍ତୁ ।
ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ଆସି ତାଳବଣିଆ ହେଲିପ୍ୟାଡରେ ପହଂଚିଥିଲେ । ଏହାପରେ ତାଙ୍କୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ସହ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା । ବିଜେଡ଼ିର ଏହି ରୌପ୍ୟ ଜୟନ୍ତୀ ସମାରୋହରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ଓ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ୧୯୯୭ ଡ଼ିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ ।