ବଲାଙ୍ଗିର, ରାଜ୍ଯ ସରକାର ଅପରାଧୀ ନେତା ମାନଙ୍କୁ ସୁରକ୍ଷା ଦେଉଥିବା ପ୍ରତିବାଦରେ ଆଜି ରାଜ୍ଯ ବିଜେପି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ଦିନ ୧୧ଟାରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସତ୍ୟାଗ୍ରହ କରାଯାଇଥିଲା। ଜିଲ୍ଲା ପରିଷଦ ସଦସ୍ଯ ବିଭୂଦତ୍ତ ମିଶ୍ରଙ୍କ ନେତୃତ୍ଵରେ ଶତାଧିକ ବିଜେପି କର୍ମୀ ଏଥିରେ ଯୋଗଦେଇଥିଲେ।
ସେମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ ବିଭିନ୍ନ ବକ୍ତା ରାଜ୍ୟର ନିର୍ମଳ ଭାବମୂର୍ତ୍ତିର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଅପରାଧୀ ନେତା ମାନଙ୍କୁ ସୁରକ୍ଷା ଦେଉଥିବା ଉପରେ ସମାଲୋଚନା କରିଥିଲେ। ମମିତା ମେହେର ହତ୍ୟା ମାମଲାରେ କାଳେ ସରକାରଙ୍କୁ କ୍ଷତି ପହଞ୍ଚିବ ତେଣୁ ଗତ ୨୦ ତାରିଖରେ ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କୋର୍ଟ ଯିବା ଆଗରୁ କଣ୍ଟାବାଞ୍ଜି ସବ୍ ଜେଲରେ ସରକାରୀ କଳ ଦ୍ଵାରା ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ।