ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୪୩ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୪ ଗୋଟି, ସାମୁହିକ ଦରଖାସ୍ତ ୯ ଗୋଟି ଗ୍ରହଣ କରାଯାଇଛି। ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୨୨ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୧ ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି।
ଆଜି ଅନୁଷ୍ଠିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ହିଲୁଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ନିବାସୀ ପଦ୍ମିନୀ ଥପାଙ୍କୁ ବିଧବା ଭତ୍ତା ସହାୟତା ଓ ଗୁଲାପ ଫୁଲ ମେହେରଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ମାସିକ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଉପସ୍ଥିତ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର। ପୁନଶ୍ଚ ଅବକାରୀ ବିଭାଗ ତରଫରୁ ନିଶା ନିବାରଣ ସଚେତନତା ପରିପ୍ରେକ୍ଷୀରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ତର୍କ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ସୁବ୍ରତ ପଧାନ, ପ୍ରତୀକ କୁମାର ବେହେରା ଓ ଜଗା ରଣାଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରମହାରାଜପୁର ମୋତିଲାଲ ସୁଲିଆଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ, ବୀରମହାରାଜପୁର ଅଶୋକ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ଵ ରଞ୍ଜନ ପତି, ଅଧୀକ୍ଷଣ ଯନ୍ତ୍ରୀ ଆରଡବ୍ଲୁଏସଏସ ଇଂ. ବିଭୁ ପ୍ରସାଦ ପଣ୍ଡା, ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତ, ନିର୍ବାହୀ ଯନ୍ତ୍ରୀ ଆରଡି ଇଂ. ବୈକୁଣ୍ଠନାଥ ଷଡ଼ଙ୍ଗୀ, ଡିଇଓ ଲକ୍ଷ୍ମଣ ଭୋଇ, ସିଏସଓ ସୁରେଶ ପାଣିଗ୍ରାହୀ, ଆରଟିଓ ଅକ୍ଷୟ କୁମାର ଜେନା ଡ଼ିଏସଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଡିଡବ୍ଲୁଓ ପାଲାକା ରବୀନ୍ଦ୍ର, ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀଙ୍କ ସମେତ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।